ଭୁବନେଶ୍ୱର, (୨୧/୦୭) : ଆପ୍ର : ରାଜଧାନୀରେ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । କନ୍ଧମାଳରୁ ଝାଡ଼ଖଣ୍ଡ ଚାଲାଣ ବେଳେ STF ଟିମ୍ ଏକ ବୋଲେରୋ ଗାଡିକୁ କାବୁ କରି ସେଥିରୁ ୨ କ୍ୟୁଣ୍ଟାଲ ୬୩ କେଜି ପରିମାଣର ଗଞ୍ଜେଇ ଜବତ କରିଛି ।
ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୩୨ ଲକ୍ଷ ଟଙ୍କା ହେବ । ଘଟଣାରେ ୨ ନିଶା ମାଫିଆଙ୍କୁ ଗିରଫ କରିବା ସହ ବୋଲେରୋ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନରମସିଂ ଦିଗଲ ଓ ମୃତ୍ୟୁଞ୍ଜୟ ଦିଗଲ । ବଡ଼ଗଡ଼ ଥାନା ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ପୋଲିସ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଏକ ବୋଲେରୋ ଗାଡିକୁ ଜବତ କରିଛି । ଏନେଇ STF ପକ୍ଷରୁ NDPS ଆକ୍ଟର ବିଭିନ୍ନ ସେକ୍ସନରେ ଏକ ମାମଲା ରୁଜୁ କରାଯାଇଛି ।
ଗିରଫ ଅଭିଯୁକ୍ତଦ୍ୱୟଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବିପୁଳ ପରିମାଣର ଗଞ୍ଜେଇକୁ ଝାଡ଼ଖଣ୍ଡ ଚଳାଣ କରଯାଉଥିଲା ବୋଲି STF ପକ୍ଷରୁ ସୂଚନା ଦିଆଯାଇଛି । ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ STF ପ୍ରୟାସ ଚଳାଇଛି ।

