ସୁବର୍ଣ୍ଣପୁର, (୨୯/୦୬) : ଆପ୍ର : ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ଜାତୀୟ ରାଜପଥ ୧୨୬ (A) ବିନିକା ଥାନା ଡଭଲା ଛକରେ ଓଡି ୦୫ ସିଏ-୮୪୧୧ ମିନିଟ୍ରକ ଟି ଡିଭାଇଡର ଉପରକୁ ଚଢି ରାସ୍ତାରେ ଓଲଟି ପଡିଥିବାରୁ ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଏହି ମିନିଟ୍ରକ ଟି ପୁରୀରୁ ପ୍ରାୟ ୬ ଟନ ପାନପତ୍ର ନେଇ ଛତିଶଗଡ ରାଜ୍ୟ ବିଳାସପୁରକୁ ଯାଉଥିଲା । ହେଲେ ଡଭଲା ଛକ ନିକଟରେ ସମ୍ବୁଖରୁ ଆସୁଥିବା ଏକ ଗାଡି ର ଶକ୍ତିଶାଳୀ ଲାଇଟ ଡ୍ରାଇଭର ର ମୁହଁରେ ପଡିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ଡିଭାଇଡ଼ର ଉପରକୁ ଗାଡି ଚଢାଇ ଦେଇଥିଲେ ଏବଂ ଗାଡି ଟି ଓଲଟି ପଡିଥିଲା ବୋଲି ଡ୍ରାଇଭର ନିଜେ କହିଛନ୍ତି । ସ୍ଥାନୀୟ ଲୋକେ କହିଛନ୍ତି ଯେ ରାସ୍ତା ମଝିରେ ତିଆରି ହୋଇଥିବା ଡିଭାଇଡ଼ର କେଉଁଠି ଆରମ୍ଭ ଓ କେଉଁଠି ଶେଷ ଯେ ତାହାର କୌଣସି ଆଖିଦୃଶିଆ ସୂଚନା ଫଳକ ଟିଏ ମଧ୍ୟ ନାହିଁ । ଠିକାଦାର ଙ୍କ ମନମାନୀ ବା ଅଧପନ୍ତରିଆ କାମ ଯୋଗୁଁ କୌଣସି ଜାଗାରେ ଠିକ ଭାବେ ସୂଚନା ଫଳକ କିମ୍ବା ଜଣ ଗହଳି ଓ ରାସ୍ତା ପାରିହେବା ପାଇଁ ଜେବ୍ରା କ୍ରସିଙ୍ଗ ଚି଼ହ୍ନ ମଧ୍ୟ ନଥିବାରୁ ଏମିତି ଅନେକ ଦୁର୍ଘଟଣା ଘଟୁଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରୁଛନ୍ତି । ଏପଟେ ଖବର ପାଇ ଘଟଣା ସ୍ଥଳକୁ ବିନିକା ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

