ଢେଙ୍କାନାଳ, (୦୫/୧୧) : ଆପ୍ର : ଲଷ୍ମୀପୂଜା ଭଷାଣି ବେଳେ ପୋଲିସର ଲାଠି ମାଡ଼ । ଅନେକ ଲୋକ ଆହତ । ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଭସାଣ ବେଳେ ପୋଲିସର ଲାଠି ମାଡ଼ ।
ପୋଲିସର ଠେଙ୍ଗା ଓ ପାଇପ୍ ମାଡ଼ରେ ୨ ଶିଶୁଙ୍କ ସମେତ ୨୦ରୁ ଅଧିକ ଆହତ ହୋଇଥିବା ଅଭିଯୋଗ । ଗଜଲକ୍ଷ୍ମୀ ପୂଜା ଭସାଣି ଚାଲିଥିବା ବେଳେ ସହରର କାଞ୍ଚନ ବଜାର ଓ ବାଜିଚୌକ ଛକ ନିକଟରେ ଲୋକଙ୍କ ଉପରକୁ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । ଗତକାଲି ମିଳିତ ବଜାର ପୂଜା କମିଟି ପକ୍ଷରୁ ମିଳିତ ଭସାଣ ଶୋଭାଯାତ୍ରା ଚାଲିଥିଲା । ରାତି ୧୧ଟା ପରେ ସହରର ମୁଖ୍ୟ ରାସ୍ତାର କାଞ୍ଚନ ବଜାର ଠାରୁ ବାଜିଚୌକ ପର୍ଯ୍ୟନ୍ତ ଯାଉଥିବା ମେଢ ଗୁଡିକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା । ମେଢ଼ ଗୁଡିକ ସମୟ ସାରଣୀରୁ ସାମନ୍ୟ ବିଳମ୍ବରେ ଯାଉଥିବାରୁ ଲୋକଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି ।
ଏପରିକି ଛୋଟ ପିଲା, ମହିଳାଙ୍କ ଠାରୁ ଆରମ୍ଭ କରି ବଜାର କମିଟି ସଦସ୍ୟ ଓ ଲାଇଟ ଧରିବା ପାଇଁ ଆସିଥିବା ଶ୍ରମିକଙ୍କୁ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଘଟଣା ଘଟିବା ସମୟରେ ଢେଙ୍କାନାଳ ଏସ୍ ପି ଆଜିଙ୍କ୍ୟ ବି. ମାନେ ନିଜେ ଉପସ୍ଥିତ ରହିଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରି ଲୋକେ ହୋହଲ୍ଲା କରିଥିଲେ । ଏହି ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାଁନ୍ତି ଏସପି । ଆଜି ଦିନ ୧୧ଟାରେ ଏନେଇ ଏସପିଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ରହିଛି ।

