ରାୟଗଡ଼ା, (୦୫/୧୧) : ଆପ୍ର : ରାୟଗଡା ର ବହୁଚର୍ଚ୍ଚିତ ଅପହରଣ, ଯୌନ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବଡ଼ ରାୟ ।
ବିଚାର ପ୍ରକ୍ରିୟାର ଅନ୍ତ ଘଟାଇ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ । ଏହାସହ ଦୋଷୀଙ୍କ ଉପରେ ୧୦ ହଜାରରୁ ୨୦ ହଜାର ଟଙ୍କା ଜରିମାନା ହୋଇଛି। ତେବେ ରାୟ ଘୋଷଣା ପରେ କୋର୍ଟ ପରିସରରେ ହାଇ ଡ୍ରାମା। ଜଣେ ଦୋଷୀ ଫେରାର ହୋଇଥିବା ସୂଚନା । ରାୟଗଡା : ୨୦୧୯ ନଭେମ୍ବର ୧୮ ତାରିଖ । ରାୟଗଡ଼ା ଥାନା ଅନ୍ତର୍ଗତ ଲାଡା ଷ୍ଟେସନ ନିକଟରେ ଘଟିଥିଲା ଏହି ସାଂଘାତିକ ଘଟଣା । ଚେନ୍ନାଇରୁ ଝାରସୁଗୁଡ଼ା ଯାଉଥିବା ଜଣେ ଯୁବକଙ୍କୁ ଟ୍ରେନ୍ରେ ଯାତ୍ରା ସମୟରେ ଅପହରଣ କରିଥିଲେ ଅଭିଯୁକ୍ତମାନେ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଯୁବକଙ୍କୁ ଭୟଭୀତ କରିବା ସହ ମୁକ୍ତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏପରିକି ଯୁବକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଓ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା ।
ଏନେଇ ରାୟଗଡ଼ା ଥାନାରେ ୪୨୫/୧୯ ନମ୍ବରରେ ମାମଲା ରୁଜୁ ହୋଇଥିଲା । ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଦୀର୍ଘ ବର୍ଷର ବିଚାର ପ୍ରକ୍ରିୟା ଓ ୩୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଦାଲତ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଇପିସିର ଧାରା ୩୫୪(ଏ), ୩୬୪(ଏ), ୩୭୭, ୧୨୦(ବି), ୩୪ ଏବଂ ଆର୍ମସ୍ ଆକ୍ଟର ଧାରା ୨୫(୧) ଅନୁଯାୟୀ ଏହି ଦଣ୍ଡାଦେଶ ହୋଇଛି । ତେବେ ରାୟ ଘୋଷଣା ପରେ କୋର୍ଟ ପରିସରରେ ଦୋଷୀଙ୍କ ପରିବାରବର୍ଗଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଥିଲା ।
ଏହି ସୁଯୋଗରେ ଦୋଷୀ ଶୁଣ୍ଢି ପ୍ରକାଶ ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ଫେରାର ଦୋଷୀଙ୍କୁ ଧରିବା ପାଇଁ ପୁଲିସର ତନାଘନା ଜାରି ରହିଛି । ରାୟଗଡ଼ା ଏସ୍ଡିପିଓ ଗୌରହରି ସାହୁ ପୁଲିସ ଟିମ୍ ସହ ପହଞ୍ଚି କୋର୍ଟ ପରିସରରେ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଦୀର୍ଘ ବର୍ଷ ପରେ ଏହି ମାମଲାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ହୋଇଛି। ଏବେ ଜଣେ ଦୋଷୀଙ୍କ ଫେରାର ଘଟଣା ରାୟଗଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି ।

