ଭୁବନେଶ୍ୱର, (୦୩/୦୯) : ଆପ୍ର : ଔଷଧର ହୋଲସେଲ୍ ଲାଇସେନ୍ସ କରାଇଦେବା ନାଁରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁରର ସହକାରୀ ଔଷଧ ନିୟନ୍ତ୍ରକ ତଥା ଡ୍ରଗ୍ ଇନ୍ସପେକ୍ଟର ସଞ୍ଜୟ କୁମାର ହାଁସଦାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ।
ତାଙ୍କ ପାଖରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱ ମଧ୍ୟ ରହିଥିଲା । ଭିଜିଲାନ୍ସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ୨୦୨୫ ମସିହା ମେ ମାସରେ ଏକ ହୋଲସେଲ୍ ଡ୍ରଗ୍ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ଲାଇସେନ୍ସ ଜାରି କରିବା ପାଇଁ ସଞ୍ଜୟ କୁମାର ହାଁସଦା ବାରମ୍ବାର ୬,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ । ଏହି ହଇରାଣ ହେବା ପରେ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।
ଯୋଜନା ମୁତାବକ ଗୁରୁବାର ସଞ୍ଜୟ ଅଭିଯୋଗକାରୀଙ୍କୁ ପାରାଦୀପ–କଟକ ଜାତୀୟ ରାଜପଥ–୫୩ର ଜୟପୁର ଛକରେ ଦେଖା କରିବାକୁ କହିଥିଲେ। ସେଠାରେ ନିଜ ୱାଗନ୍ ଆର୍ କାର (OD‑2L‑3325) ଭିତରେ ସେ ୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଲାଞ୍ଚ ଟଙ୍କାକୁ ଘଟଣାସ୍ଥଳରୁ ଜବତ କରାଯାଇଛି ।
ଗିରଫ ପରେ ଭିଜିଲାନ୍ସ ଅଧିକାରୀମାନେ ସଞ୍ଜୟଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏକକାଳୀନ ଚଢ଼ାଉ କରି ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ–୨୦୧୮ର ଧାରା–୭ ଅନୁଯାୟୀ ମାମଲା (କେସ୍ ନଂ–୩୪/୨୦୨୬) ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

