Homebreaking newsବଲାଙ୍ଗିରରେ ସେକ୍ସ ରାକେଟ୍ ଠାବ; ଏସ୍‌ପିଙ୍କ ଚଢ଼ାଉରେ ମାଷ୍ଟରମାଇଣ୍ଡ ସହ ୧୦ ଗିରଫ, ୯ ମହିଳା...

ବଲାଙ୍ଗିରରେ ସେକ୍ସ ରାକେଟ୍ ଠାବ; ଏସ୍‌ପିଙ୍କ ଚଢ଼ାଉରେ ମାଷ୍ଟରମାଇଣ୍ଡ ସହ ୧୦ ଗିରଫ, ୯ ମହିଳା ଉଦ୍ଧାର

ବଲାଙ୍ଗିର, (୦୩/୦୯) : ଆପ୍ର : ବଲାଙ୍ଗୀର ସହରରେ ଚାଲୁଥିବା ଏକ ସେକ୍ସ ରାକେଟ୍‌କୁ ପୋଲିସ ବଡ଼ ସଫଳତା ସହ ଠାବ କରିଛି। ରେଳ ଷ୍ଟେସନ୍ ନିକଟସ୍ଥ ଏକ ହୋଟେଲ ଓ ଶାନ୍ତିପଡ଼ାର ଏକ ଘରେ ଏକାସାଥିରେ ଚଢ଼ାଉ କରି ବଲାଙ୍ଗିର ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି ।

ସେମାନଙ୍କ ମଧ୍ୟରେ କଥିତ ରାକେଟ୍‌ର ମାଷ୍ଟରମାଇଣ୍ଡ ଗୀତାଞ୍ଜଳି ବାଗ ମଧ୍ୟ ରହିଛନ୍ତି । ଏହି ଘଟଣାର ପର୍ଦ୍ଦାଫାସ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଭିଯୋଗରୁ ଆରମ୍ଭ ହୋଇଥିଲା । ପଡ଼ୋଶୀ ବରଗଡ଼ ଜିଲ୍ଲାର ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଡାକ୍ତରୀ ପରୀକ୍ଷାରେ ସେ ପ୍ରାୟ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ଏସ୍‌ପି ସନ୍ଦେହଜନକ ସ୍ଥାନଗୁଡ଼ିକରେ ସ୍ୱତନ୍ତ୍ର ଚଢ଼ାଉ ନିର୍ଦ୍ଦେଶ ଦେଇଥିଲେ।

  • ରେଳ ଷ୍ଟେସନ୍ ପାଖ ହୋଟେଲରେ ଚଢ଼ାଉ

ରେଳ ଷ୍ଟେସନ୍ ଛକ ନିକଟସ୍ଥ ହୋଟେଲ ଇଡ୍ ରିଜେନ୍ସିର ୧୦୩ ଓ ୧୦୬ ନମ୍ବର କୋଠରୀରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଗୀତାଞ୍ଜଳି ବାଗଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ମୋବାଇଲ ଫୋନ୍, ନଗଦ ୩,୧୦୦ ଟଙ୍କା, ଗର୍ଭନିରୋଧକ ସାମଗ୍ରୀ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ହୋଟେଲରୁ ୭ ଜଣ ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟରେ ରଖାଯାଇଛି ।

  • ଶାନ୍ତିପଡ଼ାରେ ଦ୍ୱିତୀୟ ଅପରେସନ୍

ଏହାପରେ ଲକ୍ଷ୍ମୀଜୋରା ଥାନା ଅଧୀନ ଶାନ୍ତିପଡ଼ା ଆଲୋକ ନଗରର ଏକ ଘରେ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଥିଲା । ସେଠାରୁ ଏକ ବଜାଜ ପଲସର ମୋଟରସାଇକେଲ, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ସ୍ଥାନରୁ ଆଉ ୨ ଜଣ ମହିଳାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ପୋଲିସ ସୂଚନା ଅନୁଯାୟୀ, ରାକେଟ୍‌ଟି ବଲାଙ୍ଗିରର ବିଭିନ୍ନ ହୋଟେଲ ଓ ବେସରକାରି ଘରେ ମହିଳାଙ୍କୁ ଯୋଗାଇ ଦେଉଥିଲା ବୋଲି ସନ୍ଦେହ କରାଯାଉଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ରାକେଟ୍ କେତେଦିନ ଧରି ସକ୍ରିୟ ଥିଲା, ଏବଂ ଏଥିରେ ଆଉ କେହି ଜଡ଼ିତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments