ରାୟଗଡା, (୧୨/୦୯) : ଆପ୍ର : ରାୟଗଡା ସହରର ବ୍ୟାବସାୟିକ ସ୍ଥଳର ମେରୁଦଣ୍ଡ କହିଲେ ଦୈନିକ ବଜାରକୁ ବୁଝାଏ। କିନ୍ତୁ, ଧିରେ ଧିରେ ଏହି ଦୈନିକ ବଜାର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ।
ଅନଲାଇନ୍ ସପିଙ୍ଗ, ଏବଂ ବିଭିନ୍ନ ମୋଲ୍ ଗୁଡ଼ିକ ଖୋଲିବା ଦ୍ୱାରା ଦୋକାନ ଗୁଡ଼ିକରେ ବ୍ୟବସାୟ କମ୍ ହେବାରେ ଲାଗିଛି । ଏହା ବ୍ୟତିତ ଅନେକ ଗୁଡ଼ିଏ କାରଣ ରହିଛି ଯାହାଦ୍ୱାରା ପୂର୍ବଭଳି ଲୋକେ ଦୈନିକ ବଜାରକୁ ଆସିବାକୁ ଇଚ୍ଛା କରୁ ନାହାଁନ୍ତି । ମୁଖ୍ୟ କାରଣ ହେଉଛି ପାର୍କିଂ ବ୍ୟବସ୍ଥା ନାହିଁ । ପାର୍କିଂ ପାଇଁ ସ୍ଥାନ ଚିହ୍ନଟ ହୋଇ ରହିଛି ସେଠାରେ ଉଠା ଦୋକାନୀମାନେ ନିଜ ନିଜର ଠେଲା, କ୍ୟାବିନ ଧରି ବ୍ୟବସାୟ ପାଇଁ ଜାଗା ମାଡ଼ି ବସିଛନ୍ତି । ଅନ୍ୟପଟେ ଯେଉଁ ସ୍ଥାୟୀ ଦୋକାନିମାନେ ନିଜ ନିଜର ଆସବାପତ୍ର ବାହାରେ ଟଙ୍ଗେଇ ଓ ସଜାଇକରି ରଖିବା ଦ୍ୱାରା ଯାତାୟତରେ ସମସ୍ୟା ଉପୁଜୁଛି । ବଜାର ମଧ୍ୟକୁ ଦୁଇ ଚକିଆ, ଚାରି ଚକିଆ, ଟ୍ରକ୍, ଟ୍ରାକ୍ଟର ଭଳି ଗାଡ଼ି ପ୍ରବେଶ ନିଷେଧ କରାଯାଇଛି । କିନ୍ତୁ, ଅମାନିଆ ଗାଡ଼ି ଚାଳକ ମାନଙ୍କ ଦ୍ୱାରା ବଜାର ମଧ୍ୟରେ ଗାଡ଼ି ରଖି ଜିନିଷ କିଣା କିଣି ଓ ବିକ୍ରୟ କରାଯାଉଥିବା ଦେଖିବାକୁ ମିଳୁଛି ।
ବିଶେଷ କରି ସକାଳୁ ଆଳୁ ପିଆଜ ଟ୍ରକ୍ ଅନଲୋଡ଼ କରିବା ପାଇଁ ଆସି ସକାଳ ୧୦ଟା ପର୍ୟ୍ୟନ୍ତ ବଜାର ମଧ୍ୟରେ ରହୁଛନ୍ତି । ଏହି ଅନଲୋଡ଼ ସମୟରେ ପିଆଜ ଚୋପା, ଆଳୁ ବସ୍ତାର ଧୂଳି ଓ ରସୁଣ ଚୋପା ଗୁଡ଼ିକ ଏଣେତେଣେ ଉଡ଼ି ଓଳିଆ ହୋଇଯାଉଥିବା ବ୍ୟବସାୟି ମାନେ କହିଛନ୍ତି । ଟାଉନ ଥାନା ପୋଲିସ ଓ ପୌରପରିଷଦ ଜାଣିଶୁଣି ଜନ ସାଧାରଣ ଏହିସବୁ ଅସୁବିଧାକୁ ନିଜ ଆଖିରେ ଦେଖି ଚୁପ୍ ରହିବା ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପାର୍ବଣ ସମୟରେ ଏହି ଦୈନିକ ବଜାରକୁ ବାହାର ଜିଲ୍ଲା ଓ ରାଜ୍ୟରୁ ବ୍ୟବସାୟି ମାନଙ୍କୁ ପାର୍କିଂ ସ୍ତଳରେ ଭଡ଼ା ଦେଇ ବେପାର କରିବାକୁ ପଡୁଛି ବୋଲି ଉଠା ଦୋକାନୀ ମାନେ କହିଛନ୍ତି । ଏତେ ସବୁ ଅବ୍ୟବସ୍ଥା ଗୁଡିକୁ ଦେଖି ଲୋକେ ଦୈନିକ ବଜାରକୁ ଆସିବାକୁ ଇଚ୍ଛା କରୁ ନାହାଁନ୍ତି । କିଛି ବର୍ଷ ପୂର୍ବେ ଦୈନିକ ବଜାର ରାସ୍ତା ଅଣ ଅସରିଆ ଥିଲା । ବର୍ତ୍ତମାନ୍ ଓସାର ହୋଇଛି ଏବଂ ରାସ୍ତା ମଝିରେ ପାର୍କିଙ୍ଗ ପାଇଁ ସ୍ଥାନ ରହିଛି । ସେହି ପାର୍କିଙ୍ଗ ସ୍ଥାନ ଖାଲି ରହୁନାହିଁ । ଲୋକେ ବଜାରକୁ ସାଇକେଲ ଓ ଯାନ ବାହାନ ଧରି ଦୋକାନ ସମ୍ମୁଖରେ ରଖିବାକୁ ବାଧ୍ୟ ହେଉଛନ୍ତି ରାସ୍ତା ମଧ୍ୟ ଜାମ୍ ରହୁଛି । ପୌରପରିଷଦ ପକ୍ଷରୁ ନିତିଦିନ ଉଠା ଦୋକାନୀ ମାନଙ୍କ ଠାରୁ ଟିକସ ଆଦାୟ କରାଯାଉଛି ।
କିନ୍ତୁ, ଉଠା ଦୋକାନୀ ମାନଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ବଜାର ସୃଷ୍ଚି କରାଯାଇଥିଲେ ଉପକୃତ ହେବୁ ବୋଲି କହିଛନ୍ତି ଉଠା ଦୋକାନୀ । ସେହିଭଳି ଟାଉନ୍ ଥାନା ପୁଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ରାସ୍ତା ଜାମକୁ ଏଡ଼ାଇବା ପାଇଁ ପେଟ୍ରଲିଂ କରୁଥିଲେ ସୁଦ୍ଧା ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁ ନ ଥିବା ଯୋଗୁଁ ଆଜି ଦୈନିକ ବଜାରକୁ ଗ୍ରାହକ ଆସିବା କମି ଯାଇଛି ବୋଲି କହୁଛନ୍ତି ସ୍ଥାନୀୟ ଦୋକାନି ଓ ବ୍ୟବସାୟୀମାନେ । ଆଗାମୀ ଦିନରେ ଦୈନିକ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଅପେକ୍ଷା, ବର୍ତ୍ତମାନ ଠାରୁ ସ୍ଥିତି ସୁଧାରିଲେ ପୁଣିଥରେ ଦୈନିକ ବଜାର ନିଜ ଅସ୍ତିତ୍ୱକୁ ବଜାୟ ରଖିପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

