ସୁବର୍ଣ୍ଣପୁର ,(୧୨/୦୮):ଆପ୍ର: ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ବିଶେଷ କରି ଚାଷୀ ପଞ୍ଜିକରଣରେ ଦେଖାଦେଇଥିବା ଜଟିଳତାକୁ ନେଇ ଜିଲ୍ଲା କିଷାନ କଂଗ୍ରେସ କମିଟି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। ଏହି ପରିପ୍ରେକ୍ଷୀରେ କମିଟିର ସଭାପତି ସଂଗ୍ରାମ କେଶରୀ ନାୟକଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
କୃଷି ଉପରେ ନିର୍ଭରଶୀଳ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀମାନଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ବର୍ତ୍ତମାନ ଜିଲ୍ଲାରେ ଚାଲୁଥିବା ‘ହାଇଟେକ୍ ସର୍ଭେ’ ଯୋଗୁଁ ଅନେକ ଚାଷୀ ନିଜ ନାମରେ ଜମି ମ୍ୟୁଟେସନ କରିପାରୁନାହାନ୍ତି। ଏଥିସହ ନୂତନ ‘ଏଗ୍ରିଷ୍ଟାକ୍’ ପଞ୍ଜିକରଣ ବ୍ୟବସ୍ଥା ଯୋଗୁଁ ଜିଲ୍ଲାର ପ୍ରାୟ ୮୦ ରୁ ୯୦ ପ୍ରତିଶତ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଚଳିତ ବର୍ଷ ପାଇଁ ଏହି ଜଟିଳ ପ୍ରକ୍ରିୟାକୁ ବାତିଲ କରି ଏକ ସହଜ ଓ ସରଳ ପଦ୍ଧତି ଆପଣାଇବାକୁ କମିଟି ପ୍ରମୁଖ ଦାବି କରିଛି।
ଏହା ବ୍ୟତୀତ କିଷାନ କଂଗ୍ରେସ ପକ୍ଷରୁ ଅନ୍ୟାନ୍ୟ ୪ଟି ପ୍ରମୁଖ ଦାବି ମଧ୍ୟ ଉପସ୍ଥାପନ କରାଯାଇଛି: ଚାଷୀଙ୍କୁ ଠିକ୍ ସମୟରେ ରିହାତି ଦରରେ ଆବଶ୍ୟକ ମୁତାବକ ସାର ଓ ବିହନ ଯୋଗାଇ ଦିଆଯାଉ। ସରକାରୀ ଅବହେଳା ଯୋଗୁଁ ବୀମାରୁ ବଞ୍ଚିତ ହେଉଥିବା ସମସ୍ତ ଚାଷୀ ଓ ଚାଷକୁ ତୁରନ୍ତ ବୀମାଭୁକ୍ତ କରାଯାଉ। ଚଳିତ ବର୍ଷ ଲଗାଣ ବର୍ଷା ଅଭାବରୁ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ, ଏହାର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିୟମାନୁଯାୟୀ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ। ପୂର୍ବ ପ୍ରତିଶ୍ରୁତି ମୁତାବକ ଏହି ଜିଲ୍ଲାରେ ଉତ୍ପାଦିତ ଫସଲ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ ଏବଂ ଚାଷୀଙ୍କୁ ଅଭାବୀ ବିକ୍ରିରୁ ରକ୍ଷା କରାଯାଉ।
ସରକାର ଏବଂ ବିଭାଗୀୟ ଅଧିକାରୀମାନେ ଯଦି ଏହି ସବୁ ନ୍ୟାଯ୍ୟ ଦାବି ପ୍ରତି ତୁରନ୍ତ ଦୃଷ୍ଟି ନଦିଅନ୍ତି ଏବଂ ଚାଷୀମାନଙ୍କ ହିତ ନିମନ୍ତେ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ଦିନରେ ଜିଲ୍ଲା କିଷାନ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ଏବଂ ବ୍ୟାପକ ଆନ୍ଦୋଳନ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

