ପୁରୀ, (୦୪/୦୬) : ଆପ୍ର : ଏଣିକି ଭକ୍ତମାନେ ପୁରୀକୁ ନଆସି ମଧ୍ୟ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ । ସମର୍ପଣ ଆପ୍ ରେ ଆରମ୍ଭ ହେବ ଇ- ହୁଣ୍ଡି ବ୍ୟବସ୍ଥା ।
ଚଳିତ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବେ । ଅନ୍ୟପଟେ, ଜଗନ୍ନାଥ ଜମିକୁ ନେଇ ଆସିବ ‘ୟୁନିଫର୍ମ ସେଟେଲମେଣ୍ଟ ପଲିସି’। ଜଗନ୍ନାଥଙ୍କ ଜମି ଦଖଲରେ ଥିବା ବ୍ୟକ୍ତିଙ୍କ ସହ ସେଟେଲମେଣ୍ଟ କରାଯିବ ଏବଂ ନିର୍ଦ୍ଧାରିତ ଅର୍ଥ ଆଦାୟ ପରେ ସେମାନଙ୍କୁ ମାଲିକାନା ପ୍ରଦାନ କରାଯିବ । ଆଦାୟ ଅର୍ଥ ଶ୍ରୀଜଗନ୍ନାଥଙ୍କ ଖାତାରେ ଜମା ହେବ । ଆସନ୍ତା କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ । ବନକଲାଗି ଅବସରରେ ଏହି ନୀତି ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

