ରାୟଗଡା, (୨୩/୦୮) : ଆପ୍ର : ରାୟଗଡ଼ା ସହରରେ ଗାୟତ୍ରୀ ମନ୍ଦିର ପରିସରରେ ଆର୍ଯ୍ଯ ସମାଜ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ବୈଦିକ ବାଲ ସଂସ୍କାର କେନ୍ଦ୍ର ।
ଶିଶୁମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା, ଭଲ ଅଭ୍ୟାସ ଏବଂ ଆତ୍ମବିଶ୍ୱାସ ବିକାଶ କରିବା ଏହି କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ । ଏହି ବାଳ ବିକାଶ କେନ୍ଦ୍ରକୁ ମୁଖ୍ଯ ଅତିଥି ଭାବେ ଯୁବ ସମାଜସେବୀ ତଥା ସମାଜ ସଂସ୍କାରକ ବଳରାମ ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ । ବୈଦିକ ଯଗ୍ଯଂ ଦ୍ବାରା ଏହି କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା । ୮ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନେ ଏଥିରେ ଯୋଗଦେଇପାରିବେ । ଆଧୁନିକ ଶିକ୍ଷା ସହ ଶିଶୁମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି, ପରମ୍ପରା ଓ ନୈତିକ ମୂଲ୍ୟବୋଧକୁ ମଜବୁତ କରିବା ଉଦ୍ଦେଶ୍ୟରେ ରାୟଗଡ଼ା ଗାୟତ୍ରୀ ମନ୍ଦିରରେ ଉଦଘାଟିତ ହୋଇଛି ଏହି ‘ବୈଦିକ ବାଲ ସଂସ୍କାର କେନ୍ଦ୍ର’ ।
ଏହି କେନ୍ଦ୍ରରେ ଶିଶୁମାନଙ୍କୁ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ଭଲ ଚିନ୍ତାଧାରା, ନୈତିକ ମୂଲ୍ୟବୋଧ ଓ ଶୃଙ୍ଖଳିତ ଦୈନନ୍ଦିନ ଜୀବନ ସମ୍ପର୍କରେ ଶିକ୍ଷା ଦିଆଯିବ। ଏଥିସହ ଭଲ ଅଭ୍ୟାସ ଗଢ଼ିବା, ଆତ୍ମବିଶ୍ୱାସ ବଢ଼ାଇବା ଏବଂ ଶିଶୁମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ୮ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନେ ଏହି କେନ୍ଦ୍ରରେ ଯୋଗ ଦେଇପାରିବେ । ପ୍ରତି ରବିବାର ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଶିକ୍ଷା ଓ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜିର ଏହି କାର୍ଯ୍ଯକ୍ରମ କୁ ଆଧ୍ଯାତ୍ମିକ ଗୁରୁ କିଶୋର ଚନ୍ଦ୍ର ଜେନା ସଂଚାଳନ କରିଥିବା ବେଳେ ବୈଦିକ ପ୍ରଚାରକ ବାସୁଦେବ ହୋତା ଉପସ୍ଥିତ ରହି ଉପସ୍ଥିତ ଶିଶୁ ମାନଙ୍କୁ ଉତ୍ତର ନାଗରିକ ସହ ଜଣେ ସମାଜ ସଂସ୍କାରକ ହେବାକୁ ଆହ୍ବାନ ଦେଇଥିଲେ । ସେହିପରି ପିଲାମାନେ ନିତ୍ଯ ସେମାନଙ୍କ ପାଠ ପଢା ସହ ଭାରତୀୟ ସଂସ୍କୃତି, ପରମ୍ପରା ଓ ଜୀବନର ମୂଲ୍ଯବୋଧ ଉପରେ ଶିକ୍ଷା ଗ୍ରହଣ କରିବା ସହ ନିଜ ଦେଶର ଟେକ ରଖିବା ପାଇଁ କାମ କରିବା ଆବଶ୍ଯକ ବୋଲି ପିଲାମାନଙ୍କୁ ଆହ୍ବାନ ଦେଇଥିଲେ ।
ଏହି କାର୍ଯ୍ଯକ୍ରମରେ ଗାୟତ୍ରୀ ମନ୍ଦିର ପରାଚାଳନା କମିଟିର ସଭାପତି ସୁଧୀର କୁମାର ମିଶ୍ର, ସବୀତା ତ୍ରିପାଠୀ, ଶିକ୍ଷାବିତ କୈଳାସ ଚନ୍ଦ୍ର ନାୟକ, ତ୍ରିନାଥ ମହାରଣା, ପ୍ରସାଦ କାମ୍ବା ଓ ଯୋଗ ଗୁରୁ ସ୍ବାଧୀନା ପଣ୍ଡାଙ୍କ ସମେତ ବୈଦିକ ପରିବାରର ଅନେକ ସଦସ୍ଯ ଉପସ୍ଥିତ ଥିଲେ । ରାୟଗଡା ଗାୟତ୍ରୀ ପରିବାରର ସହଯୋଗରେ ବୈଦିକ ବାଲ ବିକାଶ କେନ୍ଦ୍ର ଆରମ୍ଭ ହୋଇଛି ।

