ରାୟଗଡା // ଗୁଡ଼ାରୀ, (୨୩/୦୮) : ଆପ୍ର : ଲଗାଣ ବର୍ଷାରେ ଫୁଲିଛି ନାଳ । ପ୍ରବଳ ପାଣି ସ୍ରୋତ ମଧ୍ୟରେ ଗାଁକୁ ଯିବା ପାଇଁ ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ ।
ଯାତାୟାତ ପାଇଁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ପ୍ରତିବର୍ଷ ବର୍ଷାଦିନେ ଏଭଳି ବିପଦପୂର୍ଣ୍ଣ ଯାତାୟାତ କରିବା ଗ୍ରାମବାସୀଙ୍କ ନିତିଦିନିଆ ଘଟଣା ପାଲଟିଛି । ଏଭଳି ଦୁର୍ଦ୍ଦଶା ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମରେ ଦେଖିବାକୁ ମିଳିଛି । ଗତ ୩୬ ଘଣ୍ଟା ଧରି ଅଞ୍ଚଳରେ ଲଗାଣ ବର୍ଷା ହେଉଥିବାରୁ ଗ୍ରାମ ନିକଟସ୍ଥ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଶୁକ୍ରବାର ରାତିଠାରୁ ବର୍ଷାର ପରିମାଣ ବଢ଼ିବା ପରେ ନାଳରେ ପ୍ରବଳ ପାଣି ସ୍ରୋତ ଦେଖାଦେଇଥିଲା । ଏହାସତ୍ତ୍ୱେ ବିଲରେ ରୁଆ ଓ ଡଙ୍ଗର କାମ ସାରି ଘରକୁ ଫେରିବା ବେଳେ ଗ୍ରାମବାସୀଙ୍କୁ ବିପଦସଙ୍କୁଳ ଭାବେ ନାଳ ପାର ହେବାକୁ ପଡ଼ିଥିଲା ।
ନାଳ ପାର ହେବା ସମୟରେ ମହିଳା, ଛୋଟ ଶିଶୁ, ଯୁବକ ଏବଂ ବୃଦ୍ଧବୃଦ୍ଧାମାନେ ମଧ୍ୟ ବିପଦକୁ ଖାତିର ନକରି ଯାତାୟାତ କରିଥିଲେ । ପ୍ରବଳ ପାଣି ସ୍ରୋତ ମଧ୍ୟରେ କେତେବେଳେ କିଏ ଭାସିଯିବେ, ତାହାର କୌଣସି ଠିକଣା ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ସବୁବେଳେ ଭୟ ଲାଗି ରହୁଛି । ବର୍ଷା ଆସିଲେ ଏହି ନାଳ ଯୋଗୁଁ ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଏ । ଦୀର୍ଘଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ । ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଛନ୍ତି । ଏପରିକି କିଛିଦିନ ତଳେ ଗ୍ରାମର ଯୁବକମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଏହି ସମସ୍ୟା ସମ୍ପର୍କରେ ଜଣାଇଥିଲେ ।
ତଥାପି ଏଯାଏଁ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିନଥିବା ଗ୍ରାମର ଯୁବକ ଅନନ୍ତ ଶବର କହିଛନ୍ତି । ନାଳ ପାର ହେବା ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ ଏହାର ଦାୟିତ୍ୱ କିଏ ନେବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ବିପଦ ଘଟିବା ପୂର୍ବରୁ ପ୍ରଶାସନ ଚେତିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ତୁରନ୍ତ ନାଳ ଉପରେ ସେତୁ ନିର୍ମାଣ କରି ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

