ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ବିଶ୍ୱ ନିଶା ନିବାରଣ ଦିବସ ଏବଂ ଅବୈଧ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧୀ ଆନ୍ତର୍ଜାତୀୟ ଦିବସ ଅବସରରେ ଜିଲ୍ଲାରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କାର୍ଯାଳୟର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନଙ୍କ ଅଧକ୍ଷତାରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ , ଚିକିତ୍ସା ବିଭାଗ ର ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି), ଅବକାରୀ ବିଭାଗ ଏବଂ ବ୍ରହ୍ମାକୁମାରୀ ସଂସ୍ଥାର ସମ୍ବଳ ବ୍ୟକ୍ତିମାନେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ବକ୍ତାମାନେ କହିଥିଲେ ଯେ ନିଶାମୁକ୍ତ ସମାଜ ହିଁ ନିଶାମୁକ୍ତ ରାଷ୍ଟ୍ର ଗଠନର ମୂଳ ଆଧାର। ଯୁବପିଢ଼ିଙ୍କୁ ନିଶାର କବଳରୁ ମୁକ୍ତ କରି ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସହ ନିରନ୍ତର ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।
ଅବକାରୀ ନିରୀକ୍ଷକ ଜ୍ୟୋତିର୍ମୟ ପଟେଲ ହେରୋଇନ ପରି ମାରାତ୍ମକ ନିଶାଦ୍ରବ୍ୟର ଭୟାବହତା ସମ୍ପର୍କରେ ସଚେତନ କରିଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମ୍ବଳ ବ୍ୟକ୍ତି ବୈଧ ଓ ଅବୈଧ ନିଶାଦ୍ରବ୍ୟ ମଧ୍ୟରେ ପାର୍ଥକ୍ୟ ବୁଝାଇଥିଲେ । ଶିଶୁ ମଙ୍ଗଳ କମିଟି ପକ୍ଷରୁ ଅବୈଧ ଚୋରାଚାଲାଣରେ ଶିଶୁଙ୍କ ବ୍ୟବହାର ଉପରେ ଚିନ୍ତା ପ୍ରକାଶ କରାଯାଇଥିଲା ଏବଂ ବ୍ରହ୍ମାକୁମାରୀ ସଂସ୍ଥା ପକ୍ଷରୁ ଭଲ ଅଭ୍ୟାସ ଗଠନର ବାର୍ତ୍ତା ଦିଆଯାଇଥିଲା ।
ଏହି ଅବସରରେ ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା ସହ ନିଶାମୁକ୍ତି ସଚେତନତା ଉପରେ ରାସ୍ତା ନାଟକ ପରିବେଷଣ କରାଯାଇଥିଲା ଏବଂ ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଜିଲ୍ଲାର ମାଟୁପାଲି ଓ ତରଭା ଠାରେ କାର୍ଯ୍ୟରତ ଦୁଇଟି ନିଶାମୁକ୍ତି କେନ୍ଦ୍ର ସମ୍ପର୍କରେ ସୂଚନା ଦେବା ସହ ଜାତୀୟ ନିଶାମୁକ୍ତି ହେଲ୍ପଲାଇନ୍ ୧୪୪୪୬ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ । ସେ ୨୦୪୭ ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

