କେନ୍ଦୁଝର, (୦୮/୦୭) : ଆପ୍ର : ବଡ଼ବିଲରେ ଡକାୟତି ଓ ସାଇବର ଲୁଟ୍ ର ପର୍ଦ୍ଦାଫାଶ । ମହିଳା ମାଷ୍ଟରମାଇଣ୍ଡଙ୍କ ସମେତ ୬ ଗିରଫ ।
କେନ୍ଦୁଝର ବଡବିଲରେ ମୋବାଇଲ ଲୁଟେରାଙ୍କୁ ମୋହରା କରି ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାସ କରିଛି ବଡ଼ବିଲ ଥାନା ପୋଲିସ । ମାମଲାରେ କିଙ୍ଗପିନ୍ ମହିଳାଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣକ ସାଇବର ଠକେଇରେ ବେଶ୍ ପାରଙ୍ଗମ ଏବଂ ଝାଡ଼ଖଣ୍ଡର କୁଖ୍ୟାତ ‘ଜାମତାରା ଗ୍ୟାଙ୍ଗ୍’ ସହ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି ।
ଗତ ଜୁନ୍ ୪ ତାରିଖରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ରଇଡ଼ା ଛକ ନିକଟରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ମୋବାଇଲ୍ ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ । ପରେ ସେହି ଲୁଟ୍ ହୋଇଥିବା ମୋବାଇଲ୍ ସାହାଯ୍ୟରେ ଅନ୍ ଲାଇନ୍ ଆପ୍ ଜରିଆରେ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧ଲକ୍ଷ ୮୬ହଜାର ୫୦୦ ଟଙ୍କା ଗାଏବ କରିଦିଆଯାଇଥିଲା । ଏନେଇ ଜୁଲାଇ ୬ ତାରିଖରେ ବଡ଼ବିଲ୍ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ବଡ଼ବିଲ ଓ ଯୋଡ଼ା ଅଞ୍ଚଳର ୯ରୁ ୧୦ ଜଣ ଅସାମାଜିକ ବ୍ୟକ୍ତି ଏକ ଗ୍ୟାଙ୍ଗ୍ ଗଠନ କରି ଦୀର୍ଘଦିନ ଧରି ଚୋରି, ଛିନତାଇ ଓ ଡକାୟତି କାର୍ଯ୍ୟରେ ଲିପ୍ତ ଥିଲେ । ବିଶେଷକରି ଟ୍ରକ୍ ଡ୍ରାଇଭରମାନଙ୍କୁ ଟାର୍ଗେଟ୍ କରି ସେମାନେ ଏହି ଅପରାଧ କରୁଥିଲେ । ପୋଲିସ ଚଢ଼ାଉ ସମୟରେ ଚନ୍ଦ୍ରାବତୀଙ୍କ ଘରୁ ୧୨ଟି ମୋବାଇଲ୍, ୨୬ଟି ବ୍ୟାଙ୍କ ପାସ୍ ବୁକ୍ ଓ ୨୮ଟି ସିମ୍ କାର୍ଡ ଜବତ କରିଛି ।
ଆଜି ଭୋର ସମୟରେ ଯୋଡ଼ା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ମାରଣାସ୍ତ୍ର ସହିତ ଧରିଥିଲା । ପଚରା ଉଚୁରା ପରେ ଚନ୍ଦ୍ରାବତୀକୁ ଗିରଫ କରିଥିଲା ପୋଲିସ । ଡକାୟତ ଗ୍ୟାଙ୍ଗଠାରୁ ୩ଟି ଖଣ୍ଡା, ଗୋଟିଏ ଛୁରୀ, ୫ଟି ମୁଖା ଏବଂ ୩ ହଜାର ୩ ଶହ ଟଙ୍କା ଜବତ କରାଯାଇଛି । ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି । ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା ବଡ଼ବିଲ ଏସଡିପିଓ ସୂଚନା ଦେଇଛନ୍ତି ।

