ବୌଦ୍ଧ, (୧୦/୦୯) : ଆପ୍ର : ପିଇଟି ଶିକ୍ଷକଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ଜଣେ ପିଇଟି ଶିକ୍ଷକ ସପ୍ତମ ଶ୍ରେଣୀର ଜଣେ ଛାତ୍ରଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି ଦାନ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ଏହି ସମ୍ବେଦନଶୀଳ ଘଟଣା ବୌଦ୍ଧ ଜିଲ୍ଲା ବଘିଆପଡ଼ା ଜବାହାର ନବୋଦୟ ବିଦ୍ୟାଳୟରେ ଘଟିଛି । ସୂଚନା ଅନୁଯାୟୀ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ବେଳେଛାତ୍ର ଜଣଙ୍କୁ କୌଣସି କାରଣବଶତଃ ଶିକ୍ଷକ ଜଣକ ଅତ୍ୟନ୍ତ ଅମାନୁଷିକ ଭାବେ ପ୍ରହାର କରିଥିଲେ, ଯାହା ଫଳରେ ତାଙ୍କର ଦାନ୍ତ ଭାଙ୍ଗି ଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ଏବଂ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟ ପରିସରରେ କର୍ପୋରାଲ ପନିସମେଣ୍ଟ (ଶାରୀରିକ ନିର୍ଯାତନା) ଉପରେ ଆଇନଗତ ନିଷେଧାଦେଶ ଥିବା ସତ୍ତ୍ୱେ ଏଭଳି ଘଟଣା ପୁଣି ଥରେ ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

