ବରଗଡ, (୧୧/୧୧) : ଆପ୍ର : ଧାନ ବିକ୍ରିକୁ ନେଇ ଚାଷୀଙ୍କ ସମସ୍ୟା ଦୂର କରିବା ସହ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁ କରିବା ପାଇଁ ଏକାଠି ହେଲେ ଶତାଧିକ ଚାଷୀ ।
ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଆଦର୍ଶ ଧାନମଣ୍ଡି ଠାରେ ସଂଯୁକ୍ତ କୃଷକ ସଙ୍ଗଠନର ବ୍ଲକ ଶାଖା ପକ୍ଷରୁ ଏକ ପଞ୍ଚାୟତ ସ୍ତରୀୟ କୃଷକ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଗୁଣନିଧି ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଧାନକିଣା ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଶିବିରରେ ପଞ୍ଜିକୃତ ଚାଷୀଙ୍କ ସମସ୍ତ ଜମି ପାଇଁ ଏକାଥରକେ ଟୋକନ ପ୍ରଦାନ, ଧାନରେ କଟଣିଛଟଣୀ ବନ୍ଦ ଏବଂ ଦଲାଲମୁକ୍ତ ମଣ୍ଡି ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି ଉଠାଇଥିଲେ । ଚଳିତ ବର୍ଷ ଧାନକିଣା ପ୍ରକ୍ରିୟା ଯେପରି ବିନା ବାଧାରେ ସମ୍ପନ୍ନ ହେବ, ସେଥିପାଇଁ ପ୍ରଶାସନ ଓ ଯୋଗାଣ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ବକ୍ତାମାନେ ମତ ରଖିଥିଲେ ।
ଏହି ଅବସରରେ ତହସିଲଦାର ରୁକ୍ମଣ ମେହେର କୁମ୍ଭାରୀ ମଣ୍ଡିକୁ ରାଜ୍ୟର ଏକ ଆଦର୍ଶ ମଣ୍ଡି ଭାବେ ଗଢ଼ି ତୋଳିବାର ସମସ୍ତ ଯୋଗ୍ୟତା ରହିଥିବା କହିବା ସହ ଚାଷୀଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସହାନୁଭୂତି ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ । ସୂଚନା ଅନୁସାରେ, ଗତ ଖରିଫ ଋତୁରେ ଏହି ମଣ୍ଡିରେ ପ୍ରାୟ ୩୫ ହଜାର କ୍ୱିଣ୍ଟାଲ ଧାନ ବିକ୍ରି ହୋଇଥିଲା । ଚଳିତ ବର୍ଷ ଏହାଠାରୁ ଅଧିକ ଧାନ ସଂଗ୍ରହ ହେବାର ଆଶା ରହିଛି । ଏଥିପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ନୂତନ ମଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହାର ମନ୍ଥର ଗତିକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଧାନକିଣା ପୂର୍ବରୁ ନିର୍ମାଣ କାମ ଶେଷ କରିବାକୁ ଦାବି ହୋଇଥିଲା ।
ଏହି ଶିବିରରେ ଯୋଗାଣ ଅଧିକାରୀ ମୋନିକା ମିଶ୍ର, ରାଜସ୍ୱ ନିରୀକ୍ଷକ ଚୈତନ୍ୟ ବରିହା, ଡା. ଆୟୁଷମାନ ଶତପଥୀ, ପିଆଇଓ ସୁଶାନ୍ତ ଦାସ, ଭିଏଡବ୍ଲୁ ବୀରେନ୍ଦ୍ର ହୋଇ, ପେକ୍ସ ସମ୍ପାଦକ ଅଗସ୍ତି ପଧାନଙ୍କ ସମେତ ସଂଯୁକ୍ତ କୃଷକ ସଙ୍ଗଠନର କର୍ମକର୍ତ୍ତା ଓ ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ଏବଂ ମହିଳା ଚାଷୀ ଯୋଗ ଦେଇଥିଲେ । ଶେଷରେ ଆଗାମୀ ଦିନରେ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ବିଶାଳ କୃଷକ ସମାବେଶକୁ ସଫଳ କରିବା ପାଇଁ ସମସ୍ତ ଚାଷୀଙ୍କ ସହଯୋଗ ଓ ଉପସ୍ଥିତି କାମନା କରିଥିଲେ ଭୁବନ ପଧାନ ।

