ଭୁବନେଶ୍ୱର, (୧୨/୧୧) : ଆପ୍ର : ଆସୁଛି ଲଘୁଚାପ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।
ଏହାର ପ୍ରଭାବରେ ଆସନ୍ତାକାଲି କିମ୍ବା ୧୪ ତାରିଖ ବେଳକୁ ସେଠାରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। ଏହା କ୍ରମଶଃ ଘନୀଭୂତ ହୋଇ ୧୫ ତାରିଖ ସୁଦ୍ଧା ଅବପାତ ରୂପ ନେଇପାରେ । ତେବେ ବର୍ତ୍ତମାନର ସ୍ଥିତି ଅନୁସାରେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ନାହିଁ । ରାଜ୍ୟରେ ବର୍ଷାର କୌଣସି ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତ୍ରି ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ନାହିଁ। ସର୍ବନିମ୍ନ ରାତ୍ରି ତାପମାତ୍ରା ଶିମିଳିଗୁଡ଼ାରେ ୧୨.୧ ଡିଗ୍ରୀ ସେଲସିୟସ୍ ଓ ଝାରସୁଗୁଡ଼ାରେ ୧୪.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୨୧.୧ ଡିଗ୍ରୀ ସେଲସିୟସ୍ ଏବଂ କଟକରେ ୧୯.୪ ଡିଗ୍ରୀ ସେଲସିୟସ୍ ରହିଛି ।

