Homepoliticsନୂଆ ଟିମ୍ ସହ ଦ୍ୱିତୀୟ ବର୍ଷ ଆରମ୍ଭ କରିବେ ମୋହନ: ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ,...

ନୂଆ ଟିମ୍ ସହ ଦ୍ୱିତୀୟ ବର୍ଷ ଆରମ୍ଭ କରିବେ ମୋହନ: ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଦିଲ୍ଲୀରେ ବଡ଼ ବୈଠକ

ଭୁବନେଶ୍ୱର, (୨୭/୦୫) : ଆପ୍ର : ଆସନ୍ତା ଜୁନ୍ ୧୨ ତାରିଖରେ ମୋହନ ସରକାର ସଫଳତାର ସହ ଦୁଇ ବର୍ଷ ପୂରଣ କରିବାକୁ ଯାଉଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସମ୍ପୂର୍ଣ୍ଣ ନୂଆ ଟିମ୍ ଗଠନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଥିବା ୬ଟି ପଦବୀ ପୂରଣ ହେବା ସହ ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦବୀ ମଧ୍ୟ ଖୁବ୍ଶୀଘ୍ର ପୂରଣ ହେବ। ଏଥିପାଇଁ କେନ୍ଦ୍ରୀୟ ବିଜେପି ନେତୃତ୍ୱଙ୍କଠାରୁ ସବୁଜ ସଂକେତ ମିଳିସାରିଛି ଏବଂ ଆସନ୍ତା ସପ୍ତାହ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି।

ଦିଲ୍ଲୀ ଦରବାରରେ ଚୂଡ଼ାନ୍ତ ରଣନୀତି :

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଦିଲ୍ଲୀରେ ଜୋରଦାର ଚର୍ଚ୍ଚା ଓ ଆଲୋଚନା ଚାଲିଛି :

• ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ସମେତ ବରିଷ୍ଠ ସଂଗଠନ ନେତାମାନଙ୍କୁ ଭେଟିଛନ୍ତି।

• ଆଜି ବିଜେପି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ଦାୟିତ୍ୱରେ ଥିବା ଦୁଇ ପ୍ରଭାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଏହି ନିଯୁକ୍ତି ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ।

ନିଯୁକ୍ତି ପଛର ପ୍ରକୃତ କାରଣ :

ଅସନ୍ତୋଷ ଦୂର କରିବା ଓ ସଂଗଠନ ସୁଦୃଢ଼ କରିବା :

ଦୀର୍ଘ ଦିନ ଧରି ମନ୍ତ୍ରିମଣ୍ଡଳର ୬ଟି ପଦବୀ ଏବଂ ବୋର୍ଡ-ନିଗମର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିଲା। ଏହା ସହିତ ବିଜେଡି ଓ କଂଗ୍ରେସରୁ ଆସୁଥିବା ନେତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ସରକାର ଏବଂ ସଂଗଠନକୁ ଅକଳରୁ ବଞ୍ଚାଇବା ପାଇଁ ହାଇକମାଣ୍ଡ ଏହି ପ୍ରକ୍ରିୟା ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା :

• ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ଦଳ ପାଇଁ ଦୀର୍ଘ ବର୍ଷ ଧରି ତ୍ୟାଗ ଓ କାର୍ଯ୍ୟ କରିଥିବା ଯୋଗ୍ୟ ବରିଷ୍ଠ ବିଧାୟକ ଏବଂ ନେତାମାନଙ୍କୁ ହିଁ ମନ୍ତ୍ରୀ ପଦ ଓ ନିଗମର ନୂଆ ଦାୟିତ୍ୱ ମିଳିବ। ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରି ଚୟନ ପ୍ରକ୍ରିୟା ଚାଲିଛି।

• ଅନ୍ୟପଟେ ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଦଳର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ, ତାହାକୁ ଠିକ୍ ସମୟରେ କାର୍ଯ୍ୟକାରୀ କରାଯିବ। ପୂର୍ବରୁ ଅନେକ ସମୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ କେତେକ ଅଦୃଶ୍ୟ କାରଣରୁ ତାହା ଅଟକି ରହିଥିଲା, ମାତ୍ର ଏଥର ଏହା ଚୂଡ଼ାନ୍ତ ରୂପ ନେବାକୁ ଯାଉଛି।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments