ଭୁବନେଶ୍ୱର, (୧୯/୦୯) : ଆପ୍ର : ଆଜି ପବିତ୍ର ରାଧାଷ୍ଟମୀ । ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।
ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରି ଥାଆନ୍ତି। ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ। ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ବ୍ରତ ଭାବରେ ପ୍ରଚଳିତ। ଏହି ଦିନ ରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଢ଼ା ଯାଇଥାଏ । ପୌରାଣିକ କଥାନୁସାରେ, ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁ କରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ । ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ । ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୟଭୀତ ହେଲେ। ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ । ଶ୍ରୀହରି ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲେ “ହେ ଦିବାକର, ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ ।
ତୁମେ ବର ପ୍ରାର୍ଥନା କର । ସୂର୍ଯ୍ୟଦେବ କହିଲେ ପ୍ରଭୁ, ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ । ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ । ତାପରେ ଶ୍ରୀହରି ”ତଥାସ୍ତୁ” କହି ସେଠାରୁ ଚାଲିଗଲେ । ଶ୍ରୀହରି ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ । ଯଥା କାଳେ ଗୋପ କନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ଶ୍ରୀରାଧା ଜନ୍ମ ଗ୍ରହଣ କଲେ । ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ। ଏହାପରେ ପୃଥିବୀର ଭାର ଲାଘବ ପାଇଁ ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସି କୃଷ୍ଣଙ୍କ ରୂପରେ ଅବତୀର୍ଣ୍ଣ ହେଲେ ।
କାଳକ୍ରମେ ଶ୍ରୀରାଧା ଚନ୍ଦ୍ରସେଣା ନାମକ ନପୁଂସକ ଗୋପାଳଙ୍କୁ ବିବାହ କଲେ, କିନ୍ତୁ ସେ ପରମପୁରୁଷ ଜ୍ଞାନରେ ଶ୍ରୀକୃଷ୍ଣଙ୍କ ସହ ରାସ ବିହାର କଲେ । ତେଣୁ ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ଶ୍ରୀରାଧାଷ୍ଟମୀ ଭାବରେ ପାଳନ କରାଯାଏ । ବିଶ୍ବାସ ରହିଛି ଯେଉଁ ଭକ୍ତ ରାଧାଙ୍କୁ ଭକ୍ତିରେ ପୂଜା କରନ୍ତି ତାଙ୍କୁ କୃଷ୍ଣଙ୍କ ଆଶୀର୍ବାଦ ସହଜରେ ମିଳିଯାଏ। ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ଜନ୍ମ ନୀତି ଯଥାବିଧି ପାଳନ କରାଯାଏ।

