ବରଗଡ଼, (୧୮/୦୮) : ଆପ୍ର : ବରଗଡ଼ ପଟରୁ ଅତାବିରା ଦେଇ ଯାଉଥିବା ୫୩ ନଂ ଜାତୀୟ ରାଜପଥ କଡ଼ରେ ସର୍ଭିସ ରାସ୍ତା ରେ ଚାଲି ଚାଲି ଯାଉଥିବା ଜଣେ ଯୁବକକୁ ଏକ ଅନିୟନ୍ତ୍ରିତ କାର୍ ଧକ୍କା ଦେବା ଫଳରେ ଗୁରୁତର ହୋଇଛନ୍ତି ।
ଗୁରୁତର ଯୁବକ ଜଣକ ଅତାବିରା ଥାନା ଅନ୍ତର୍ଗତ ବାଞ୍ଜିପାଳି ଗ୍ରାମର ସୁଶୀଲ ଭୋଷାଗର୍ (୪୦) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ସୁଶୀଲ ଜାତୀୟ ରାଜପଥ କଡ଼ ଦେଇ ଅତାବିରା ତହସିଲ ଅଭିମୁଖେ ଯାଉଥିବା ସମୟରେ ବରଗଡ଼ ପଟୁ ଦ୍ରୁତ ବେଗରେ ଆସୁଥିବା ଏକ କାର୍ ତାଙ୍କୁ ସମ୍ମୁଖରୁ ଜୋର୍ଦାର୍ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ସୁଶୀଲ ପ୍ରାୟ କିଛି ବାଟ ଘୋଷାରି ହୋଇ ସର୍ଭିସ୍ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ।
ଏତିକିରେ ଦୁର୍ଘଟଣା ଥମିନଥିଲା । ଦ୍ରୁତଗାମୀ କାର୍ଟି ଆଗକୁ ବଢ଼ି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅନ୍ୟ ଏକ କାରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଦ୍ୱିତୀୟ କାର୍ଟି ଆଗକୁ ଯାଇ ନିକଟରେ ଥିବା ଆଉ ଏକ କାର୍ ସହ ପିଟି ହୋଇଥିଲା । ଏହି ଧକ୍କା ଯୋଗୁଁଁ ତିନୋଟି ଯାକ କାର୍ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ସୁଶୀଲଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ କ୍ଷତିଗ୍ରସ୍ତ କାର୍ର ମାଲିକ ସୂରଜ ଅଗ୍ରୱାଲ ଓ ଦେବାଶିଷ ମେହେର ଏ ନେଇ ଅତାବିରା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଖବର ପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯାନଗୁଡ଼ିକୁ ଜବତ କରିଛି। କାର୍ ଚଳାଉଥିବା ବରଗଡ଼ ଖଜୁରଟିକ୍ରା ଅଞ୍ଚଳର ଆକାଶ ବାଗ (୨୩) ଓ ତାଙ୍କ ସହଯାତ୍ରୀ ଜିତୁ ନାଗ (୨୭)ଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

