ଭୁବନେଶ୍ବର, (୧୩/୦୬) : ଆପ୍ର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ରକ୍ତାକ୍ତ ହୋଇଛି କାରଗିଲ୍ ବସ୍ତି । ସାମାନ୍ୟ ବଚସାରୁ ଉଗ୍ର ରୂପ ନେଇଥିବା ଏହି ଘଟଣାରେ ୨ ଗୁରୁତର ଆହତ ହୋଇଛନ୍ତି ।
ସେଥିରୁ ଜଗନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ଶିବରାମଙ୍କ ଅବସ୍ଥା ସ୍ଥିର ରହିଛି । କୌଣସି କାରଣକୁ ନେଇ ଜଗନ ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ମାରପିଟର ରୂପ ନେବା ସହ ଅଭିଯୁକ୍ତ ଜଣକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମଧ୍ୟସ୍ଥତା କରିବାକୁ ଯାଇ ଶିବରାମ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।
ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ରକ୍ତାକ୍ତ ସଂଘର୍ଷ ପଛର ପ୍ରକୃତ କାରଣ କଣ, ତାହା ଏବେ ବି ରହସ୍ୟ ଘେରରେ । ରାଜଧାନୀରେ ବାରମ୍ବାର ଘଟୁଥିବା ଏଭଳି ହିଂସାତ୍ମକ ଘଟଣା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି । ଆକ୍ରମଣ ଶିକାର ହେଇଥିବା ଦୁଇ ଭାଇଙ୍କ ପୋଡ଼ଶୀ ଜଣଙ୍କୁ ଅଟକ ରଖିଛି ।

