Homelocalରଥଯାତ୍ରାରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ମନା; କେବଳ ଶୁଖିଲା ଖାଦ୍ୟକୁ ଅନୁମତି

ରଥଯାତ୍ରାରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ମନା; କେବଳ ଶୁଖିଲା ଖାଦ୍ୟକୁ ଅନୁମତି

ପୁରୀ, (୦୪/୦୭) : ଆପ୍ର : ଆସନ୍ତା ରଥଯାତ୍ରାକୁ ନେଇ ପୁରୀରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିବାକୁ ଥିବାବେଳେ ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଥର ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି ।

ଗୃହ ଓ ନଗର ଉନ୍ନୟନ ବିଭାଗର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଦାନଦାତାମାନେ କେବଳ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିପାରିବେ । ଏହି ପଦକ୍ଷେପ ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ ଖାଦ୍ୟଜନିତ ସମସ୍ୟାକୁ ଏଡ଼ାଇବା ଲକ୍ଷ୍ୟ ରହିଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପୁରୀ ଗସ୍ତ କରି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେ ବିଭିନ୍ନ ସ୍ଥାନ ବୁଲି ଆବଶ୍ୟକ ବ୍ୟବସ୍ଥାର ଯାଞ୍ଚ କରିବା ସହ ଅଧିକାରୀମାନଙ୍କୁ ପ୍ରୟୋଜନୀୟ ନିର୍ଦ୍ଦେଶ ଦେଇଥିଲେ ।

ଭକ୍ତମାନଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଯିବ। ଏଥିରେ ଅନୁମୋଦିତ ଖାଦ୍ୟ କେନ୍ଦ୍ର, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କେନ୍ଦ୍ର ସମ୍ପର୍କରେ ସୂଚନା ରହିବ । ଏହାସହ ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୁରୀ ସହରର ସମସ୍ତ ଡ୍ରେନ୍ ସଫେଇ ଓ ପଙ୍କ ଉଠା କାମ ଶେଷ ହୋଇଛି । ଜଳ ଜମିବା ଆଶଙ୍କା ଥିବା ୩୦ଟି ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ବସାଯାଇଛି । ଏଥିସହ ଯାନବାହନ ପାର୍କିଂ ପାଇଁ ୨୪ଟି ସ୍ୱତନ୍ତ୍ର ପାର୍କିଂ ସ୍ଥାନ ମଧ୍ୟ ପ୍ରସ୍ତୁତ କରାଯାଇଛି । ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉପରେ ପ୍ରଶାସନର ମୁଖ୍ୟ ଗୁରୁତ୍ୱ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments