Homelocalଆଦିବାସୀ ଶିକ୍ଷାର ବିକାଶ ଦିଗରେ ନୂଆ ପଦକ୍ଷେପ : ରାୟଗଡ ଜିଲ୍ଲା ପାଇଁ ୧୭୩ ଜଣଙ୍କୁ...

ଆଦିବାସୀ ଶିକ୍ଷାର ବିକାଶ ଦିଗରେ ନୂଆ ପଦକ୍ଷେପ : ରାୟଗଡ ଜିଲ୍ଲା ପାଇଁ ୧୭୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ରାୟଗଡା, (୦୧/୧୧) : ଆପ୍ର : ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ମଙ୍ଗଳ ବିଭାଗ ଅଧୀନରେ ରାୟଗଡ ଜିଲ୍ଲା ପାଇଁ ମୋଟ ୧୭୩ ଜଣଙ୍କୁ ନବନିଯୁକ୍ତି ମିଳିଛି । ଏହି ନବନିଯୁକ୍ତଙ୍କ ମଧ୍ୟରେ ୧୪୭ ଜଣ ସେବକ-ସେବିକା ଏବଂ ୨୬ ଜଣ ଭାଷାଭିତ୍ତିକ ଶିକ୍ଷକ ରହିଛନ୍ତି । ଏହି ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାୟଗଡ ଜିଲ୍ଲା ପାଇଁ ନିଯୁକ୍ତ ୭୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଅନ୍ୟ ୧୦୩ ଜଣ ନବନିଯୁକ୍ତଙ୍କୁ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାର ନବନିଯୁକ୍ତମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ ।

ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସଭାଗୃହଠାରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସହକାରୀ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ମଙ୍ଗଳ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ବରଂ ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ସେବା ଓ ପିଢ଼ି ପରେ ପିଢ଼ିର ଜୀବନରେ ପରିବର୍ତ୍ତନ ଆଣିବାର ଏକ ସୁଯୋଗ । ବିଶେଷକରି ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ପ୍ରଥମ ପିଢ଼ିର ଶିକ୍ଷାର୍ଥୀମାନଙ୍କ ଜୀବନରେ ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନୁନ୍ନତ ଅଞ୍ଚଳର ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବାକୁ ହେଲେ ଶିକ୍ଷା ଓ ସଚେତନତାର ପ୍ରସାର ଅପରିହାର୍ଯ୍ୟ ।

ସେ ଆହୁରି କହିଥିଲେ ଯେ, ଅସ୍ୱଚ୍ଛତା, ସ୍ୱାସ୍ଥ୍ୟ ସମସ୍ୟା, ମଦ୍ୟପାନ, ପୁଷ୍ଟିହୀନତା ଓ ଅନ୍ଧବିଶ୍ୱାସ ଭଳି ସାମାଜିକ ସମସ୍ୟାର ମୂଳୋତ୍ପାଟନ ପାଇଁ ଲୋକଙ୍କ ଚିନ୍ତାଧାରା ଓ ମନୋଭାବରେ ପରିବର୍ତ୍ତନ ଆବଶ୍ୟକ । ବୟସ୍କଙ୍କ ଦୀର୍ଘଦିନର ଧାରଣା ବଦଳାଇବା କଷ୍ଟକର ହୋଇଥିଲେ ମଧ୍ୟ ଶିଶୁ ଓ କିଶୋରମାନଙ୍କ ମନ ଅଧିକ ଗ୍ରହଣଶୀଳ ଥିବାରୁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ନୈତିକ ମୂଲ୍ୟବୋଧ ଓ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିବା ଆବଶ୍ୟକ ।

ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକର ଜ୍ଞାନ ନ ଦେଇ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ସାହସ, ଆତ୍ମବିଶ୍ୱାସ, ଉତ୍ତମ ନୈତିକତା ଏବଂ ଠିକ୍ ଓ ଭୁଲ୍ ମଧ୍ୟରେ ପାର୍ଥକ୍ୟ ବୁଝିବାର କ୍ଷମତା ବିକଶିତ କରିବା ଉଚିତ । ଅନେକ ଶିକ୍ଷାର୍ଥୀଙ୍କ ପାଇଁ ବିଦ୍ୟାଳୟ ହିଁ ଜ୍ଞାନ ଓ ବ୍ୟାପକ ଦୁନିଆ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ । ତେଣୁ ସେମାନଙ୍କୁ ଏକ ସୁସ୍ଥ ଓ ସୁରକ୍ଷିତ ଶିକ୍ଷଣ ପରିବେଶ ଯୋଗାଇବା ସହ ନକାରାତ୍ମକ ପ୍ରଭାବରୁ ଦୂରେଇ ରଖିବା ଶିକ୍ଷକମାନଙ୍କ ଗୁରୁଦାୟିତ୍ୱ ।

ଶିକ୍ଷକମାନେ ଏହାକୁ କେବଳ ନିଯୁକ୍ତି ଭାବେ ନ ଦେଖି ସମାଜର ସବୁଠାରୁ ଅବହେଳିତ ବର୍ଗର ପିଲାମାନଙ୍କୁ ଉନ୍ନତ ଭବିଷ୍ୟତର ଦିଗ ଦେଖାଇବାର ଏକ ମହତ୍ ସୁଯୋଗ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ଏହି ନିଯୁକ୍ତି ଦ୍ୱାରା ମଙ୍ଗଳ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପାଇବାରେ ଉପକୃତ ହେବେ ବୋଲି ଆଶା ପ୍ରକାଶ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments