ସୁବର୍ଣ୍ଣପୁର, (୨୧/୦୮) : ଆପ୍ର : ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ମାର୍ଗ ଦର୍ଶକ । ସେମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ହିଁ ବରିଷ୍ଠ ନାଗରିକ ଦିବସ ପାଳନ ର ମୂଳଲକ୍ଷ୍ୟ ବୋଲି ଶୁକ୍ରବାର ବୀରମହାରାଜପୁରରେ ଅନୁଷ୍ଠିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅତିଥି ମାନେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୟାନିଧି ହୋତା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ପୂର୍ବତନ ସଭାପତି ଡ଼. ପ୍ରଫୁଲ୍ଲ ରଥ ମଞ୍ଚାସୀନ ହୋଇ ଶୁଭେଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢ଼ୀ,ଧନୁ ପ୍ରଧାନ ଓ ଭୀମସେନ ପାଣିଗ୍ରାହୀ ଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୁଲିସ୍ ପ୍ରଶାସନ ତରଫରୁ ୩୦ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କରା ଯାଇଥିଲା । ଏଥିରେ ସ୍ଥାନୀୟ ଥାନା ଅଧିକାରୀ ଯଯାତି କେଶରୀ ସାହୁଙ୍କ ସମେତ ଆରକ୍ଷୀ ବାହିନୀ ସହଯୋଗ କରିଥିଲେ ।
ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ନାୟକଙ୍କ ଦ୍ବାରା ଅନୁଷ୍ଠାନ କୁ ପ୍ରଦତ୍ତ ଏଆର୍ କଣ୍ଡିସନର୍ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରାମଚନ୍ଦ୍ର ଶତପଥୀ ଙ୍କ ରଚିତ ମୋ ବନ୍ଦୀ ଜୀବନ ପୁସ୍ତକ କୁ ତାଙ୍କ ପୁତ୍ର ପ୍ରଶାନ୍ତ ଶତପଥୀ ଅତିଥି ମାନଙ୍କୁ ପ୍ରଦାନ କରିଥିଲେ । ସଂପାଦକ ଡ଼. ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ନିମାଇଁ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା,ଚମରା ମହାକୁର,ସୁରୁ ସାହୁ, ଶ୍ୟାମସୁନ୍ଦର ସେଠି, ଅକ୍ଷୟ ମିଶ୍ର, ରାଧେଶ୍ୟାମ ପୁରୋହିତ, ଜୀତେନ୍ଦ୍ର ପ୍ରଧାନ, ବଳରାମ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ। ସଭାରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

