ଗୁଣପୁର – ୧୦/୮/୨୬ : ଆନ୍ତର୍ଜାତିକ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା) ଏବଂ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ବ୍ଲକର ତାମିଲଗୁଡା ଗ୍ରାମରେ ବର୍ଷା ଦିନିଆ ହରଡ ଚାଷ ପାଇଁ ହରଡ ବିହନ ରୋପଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇକାର୍ଡା ର ଜିଲ୍ଲା ସଂଯୋଜକ ଓ ଵ୍ଲକ ସଂଯୋଜକ ଗତିକ୍ରିଷ୍ଣା ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ନରାମ ରାମୁ ଯୋଗଦେଇ କୃଷକ ମାନଙ୍କୁ ହରଡ ଚାଷ ସମ୍ପର୍କରେ ଉନ୍ନତ ଜ୍ଞାନକୌଶଳ ପ୍ରଦାନ କରିଥିଲେ ।
ଅଧିକ ଅମଳ ପାଇବାପାଇଁ ଉନ୍ନତ ବିହନର ଉପଯୋଗୀତା , ଧାଡ଼ିରେ ଶୁଣିବା , ବିହନ ବିଶୋଧନ , ସାର ପ୍ରୟୋଗ , କୀଟନାଶକ ଔଷଧ ଓ ଘାସମରା ଔଷଧ ବ୍ୟବହାର ଆଦି ବିଷୟରେ ବିଶଦ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ତାମିଲଗୁଡା ଗ୍ରାମର ପ୍ରାୟ ୩୧ ଜଣ କୃଷକଙ୍କୁ ଉନ୍ନତ କିସମର ହରଡ ବିହନ ପ୍ରଦାନ କରାଯାଇଥିଲା । ଉପସ୍ଥିତ କୃଷକ ମାନେ ଚକ ଭିତ୍ତିରେ ହରଡ ଚାଷ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିହନ ବିଶୋଧନ ପାଇଁ ଔଷଧ , ଜୀବାଣୁ ସାର , ଅଣୁସାର , ଘାସମରା ଔଷଧ ଓ ଜୀବନାଶକ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି ଇକାର୍ଡା ର କ୍ଷେତ୍ର ପ୍ରତିନିଧି ଭଗବାନ ଗୌଡ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ନରାମ ରାମୁ ଏବଂ ଗତିକ୍ରିଷ୍ଣା ବେହେରା ଉପସ୍ଥିତ ରହି କୃଷକ ମାନଙ୍କୁ ହରଡ ଚାଷ ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ । ହାତ ବୁଣା ଓ ମଞ୍ଜି ବୁଣା ଯନ୍ତ୍ର ସାହାଯ୍ୟରେ କୃଷକ ମାନଙ୍କୁ ବିହନ ଲଗାଇବାର ପ୍ରଣାଳୀ ସମ୍ବନ୍ଧରେ ବୁଝାଇଥିଲେ । ଶେଷରେ ଚାଷି ମାନେ ବିହନ ଲଗାଇବାର ଏଭଳି ସହଜ ଉପାୟ ଦେଖି ବହୁତ ଖୁସି ହୋଇଥିଲେ ।

