ଗୁଣପୁର, (୧୮/୧୧) : ଆପ୍ର : ଉପଖଣ୍ଡ ସ୍ତରୀୟ ଚଇତି ସାଂସ୍କୃତିକ ଉତ୍ସବ ଇଡିତାଲ ୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି ।
ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଦ୍ୟାଧର ଶବର, ଗୁଣପୁର ପୌର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ତହସିଲଦାର ଲୀଳାବତୀ ଆଚାର୍ଜି, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଚଳିତ ବର୍ଷ ଇଡିତାଲ ଉତ୍ସବ ଆସନ୍ତା ଡିସେମ୍ବର ୧୮, ୧୯ ଓ ୨୦ତାରିଖ ଦିନ ସେବା ସମାଜ ନିକଟସ୍ଥ ଶତାୟୁ ଉଚ୍ଚ ବିଦ୍ୟାଳୟ ପଡିଆରେ ପାଳନ ନିମନ୍ତେ ସର୍ବ ସମ୍ମତିକ୍ରମେ ସ୍ଥିର କରାଯାଇଥିଲା ।
୧୮ତାରିଖ ଦିନ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ତିନିଦିନ ଧରି ବିଭିନ୍ନ ବିଭାଗର ପ୍ରଦର୍ଶନୀ ମେଳା, ମିନା ବଜାର, ସଚେତନତା କାର୍ଯ୍ୟକ୍ରମ ସହ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆବଶ୍ୟକ ସ୍ଥଳେ ଆଉ ଦୁଇଦିନ ଅଧିକ ପାଳନ ନିମନ୍ତେ ସ୍ଥିର କରାଗଲା । ସ୍ଥାନୀୟ କଳାକାର ମାନଙ୍କ ସହ ବାହାରୁ ସିନେ କଳାକାର ମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ କରିବା ନିମନ୍ତେ ସ୍ଥିର କରାଗଲା । ପରିଚାଳନା କମିଟି, ସଂସ୍କୃତିକ କମିଟି, ଖାଦ୍ୟପେୟ କମିଟି, ଅର୍ଥ କମିଟି, କ୍ରୀଡା କମିଟି, ସମ୍ବର୍ଦ୍ଦନା କମିଟି ଭଳି ୧୪ଟି ବିଭିନ୍ନ କମିଟି ଗଠନ କରାଯାଇଛି । ଯେଉଁମାନେ କମିଟିରେ ରହିବାକୁ ଚାହିଁବେ ସେମାନେ ଆସନ୍ତା ୨୨ତାରିଖ ସୁଦ୍ଧା ନିଜର ସମ୍ମତି ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣପୁରଙ୍କ ଠାରେ ଦାଖଲ କରିବା ନିମନ୍ତେ ଉପ ଜିଲ୍ଲାପାଳ ଆହ୍ୱାନ କରିଥିଲେ ।
ଆଜିର ଏହି ବୈଠକକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଯୋଜନା କରିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଉମା ଚରଣ ପଟନାୟକ, ଅକ୍ଷୟ ଦାସ, ଆଇନଜୀବୀ ସଂଘ ସଭାପତି ରମେଶ ଲିମା, ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ଅଶ୍ବିନୀ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ବିନୋଦ ଶବର, ଦୀପାରାଣୀ ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

