ସୁବର୍ଣ୍ଣପୁର, (୧୬/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ବିଷୟବସ୍ତୁକୁ ନେଇ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି ।
ଏହି ସଭାରେ ଜିଲ୍ଲାପାଳ ଦେବାଶିଷ ସିଂହ ମୁଖ୍ୟ ଅତିଥି ଏବଂ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅନିରୁଦ୍ଧ ପ୍ରଧାନ, ଡିଏଫ୍ଓ ବିଶ୍ୱରାଜ ପଣ୍ଡା ଓ ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ଯୋଗଦେଇଥିଲେ । ସଭାରେ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ ।
ବକ୍ତାମାନେ କହିଥିଲେ ଯେ, ସାମ୍ବାଦିକତାର ମୂଳ ଆଧାର ହେଉଛି ସତ୍ୟନିଷ୍ଠା, ନିରପେକ୍ଷତା ଓ ଦାୟିତ୍ୱବୋଧ । ଶସ୍ତା ଲୋକପ୍ରିୟତା ପଛରେ ନ ଧାଇଁ ଜନସ୍ୱାର୍ଥ ସମ୍ବଳିତ ଖବର ପରିବେଷଣ ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । ଗଣମାଧ୍ୟମ ପ୍ରଶାସନର ଆଖି ଓ କାନ ହେବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ସାମାଜିକ ପରିବର୍ତ୍ତନର ଏକ ପ୍ରମୁଖ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା ।
ଏହି ଅବସରରେ ଜିଲ୍ଲାର ୬ଟି ବ୍ଲକ୍ରୁ ଆସିଥିବା ସାମ୍ବାଦିକମାନେ ନିଜ ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଉପସ୍ଥିତ ଅତିଥିମାନେ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ରଖିଥିଲେ । ଗଣମାଧ୍ୟମର ବର୍ତ୍ତମାନର ସ୍ଥିତି, ସ୍ୱାଧୀନତା ପୂର୍ବର ସାମ୍ବାଦିକଙ୍କ ସଂଘର୍ଷ ଓ ଆଜିର ଆହ୍ୱାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିଲେ ।

