ମୟୂରଭଞ୍ଜ, (୨୯/୦୫) : ଆପ୍ର : ମୟୁରଭଞ୍ଜ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ପିକ୍ଅପ୍ ଭ୍ୟାନ୍ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରକୁ ପଶିଯିବାରୁ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଏହି ଘଟଣା ବାହାଲଦା ଥାନା ଅଧୀନ ବାନାଡୁଙ୍ଗୁରି ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ, ସାମଗ୍ରୀ ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍ ରାଇରଙ୍ଗପୁରରୁ ଜାମସେଦପୁର ଅଭିମୁଖେ ଯାଉଥିଲା । ତେବେ ବାନାଡୁଙ୍ଗୁରି ନିକଟରେ ହଠାତ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଭ୍ୟାନ୍ଟି ସିଧାସଳଖ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରକୁ ପଶିଯାଇଥିଲା । ଦୁର୍ଘଟଣାର ଆଘାତ ଏତେ ଜୋରଦାର ଥିଲା ଯେ ଦୋକାନର କାନ୍ଥ, ଦରଜା ଏବଂ ଭିତରେ ଥିବା ଆସବାବପତ୍ର ଭାଙ୍ଗି ଚୁରମାର ହୋଇଯାଇଥିଲା । ସେତେବେଳେ ଦୋକାନ ଭିତରେ ଥିବା ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।
ଘଟଣା ପରେ ଗାଡ଼ି ଚାଳକ ଭୟଭୀତ ହୋଇ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୋଲିସ ଫେରାର ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଉଛି ।

