Homelocalଭଇଁଷାରେ ମେଗା ସ୍ୱାସ୍ଥ୍ୟ ଶିବିର, ସ୍ତନ କର୍କଟ ଓ ବୃକ୍‌କ ରୋଗ ଚିହ୍ନଟ ଉପରେ ଗୁରୁତ୍ୱ

ଭଇଁଷାରେ ମେଗା ସ୍ୱାସ୍ଥ୍ୟ ଶିବିର, ସ୍ତନ କର୍କଟ ଓ ବୃକ୍‌କ ରୋଗ ଚିହ୍ନଟ ଉପରେ ଗୁରୁତ୍ୱ

ବଲାଙ୍ଗିର, (୧୩/୧୧) : ଆପ୍ର : ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ସହ ଗୁରୁତର ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଭଇଁଷା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶା ଏବଂ ୨ଏଚ୍‌ଟି ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଉଇଜଋ୩୬୦ କାର୍ଯ୍ୟକ୍ରମ ଅଧୀନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର, ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ମନୋଜ ଅଗ୍ରୱାଲଙ୍କ ସମେତ ଡାକ୍ତର ମୃତ୍ୟୁଞ୍ଜୟ ମୁନ୍ନି, ଡାକ୍ତର ସବିତା ଦାସ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ଶିବିରରେ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ସମ୍ପର୍କିତ ସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

ଆଶାକର୍ମୀମାନେ ସଚେତନତା ବ୍ରେସ୍‌ଲେଟ୍‌ ଓ ସୂଚନାପତ୍ର ମାଧ୍ୟମରେ ମହିଳାମାନଙ୍କୁ ସ୍ତନ କର୍କଟର ପ୍ରାଥମିକ ଲକ୍ଷଣ ଚିହ୍ନିବା ଏବଂ ସନ୍ଦେହ ହେଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଗୋଷ୍ଠୀସ୍ତରରେ ପ୍ରାଥମିକ ଯାଞ୍ଚ ସମୟରେ କର୍କଟ ରୋଗ କିମ୍ବା ଦୀର୍ଘକାଳୀନ ବୃକ୍‌କ ରୋଗ (ସିକେଡି)ର ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ ଶିବିରରେ ପୁନଃପରୀକ୍ଷା କରାଯାଇଥିଲା। ଆବଶ୍ୟକତା ଅନୁଯାୟୀ ରୋଗୀମାନଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ପରବର୍ତ୍ତୀ ଚିକିତ୍ସା ସହ ଯୋଡ଼ିବା ପାଇଁ ଡାକ୍ତରୀ ଦଳ ପଦକ୍ଷେପ ନେଇଥିଲେ ।

ଏହି ଅବସରରେ ଆଶାକର୍ମୀଙ୍କୁ ସଚେତନତା କିଟ୍‌ ଯୋଗାଇ ଦେଇଥିବା ସ୍ୱିଜରଲ୍ୟାଣ୍ଡର ‘ଦି ଡିୟର୍ ଫାଉଣ୍ଡେସନ୍‌’ର ପ୍ରତିନିଧି ପନବ ଓ ସ୍ନେହାଳିଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରାଜେଶ ପଟ୍ଟନାୟକ, ଜିଲ୍ଲା ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ ଦଳ, ୨ଏଚ୍‌ଟି ଫାଉଣ୍ଡେସନ୍‌ର ସହ ପ୍ରତିଷ୍ଠାତା ପ୍ରଫେସର ଡାକ୍ତର ପି. କେ. ସ୍ୱାଇଁ ଓ ସୁବ୍ରତ ସରକାରଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments