ପିପିଲି, (୧୩/୦୭) : ଆପ୍ର : ମର୍ଣ୍ଣି ୱାକ ବେଳେ ପଛରୁ ଗାଡି ଧକ୍କା ଦେବାରୁ ଜଣେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ନୂଆଶାସନ ଗ୍ରାମ୍ୟ ଛକ ନିକଟ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ନାମ ସୁଶୀଲ ଷଡ଼ଙ୍ଗୀ (୩୫) ଓ ତାଙ୍କ ଘର ନୂଆଶାସନ ଗ୍ରାମର ଦକ୍ଷିଣସାହିରେ ହୋଇଥିବା ସୂଚନା ମିଳିଛି । ସେ ରାସ୍ତା କଡରେ ମର୍ଣ୍ଣି ୱାକ କରୁଥିବା ବେଳେ ପଛରୁ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବା ଫଳରେ ସେ ଛିଟିକି ଯାଇ ରାସ୍ତା କଡ଼ ଫେବର ବ୍ଲକରେ ନିର୍ମିତ ପାଦଚଲା ରାସ୍ତା ଉପରେ ପଡ଼ିଥିଲେ ।
ତାଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣାସ୍ଥଳରେ ପହଂଚି ମୃତଦେହକୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିଟି ସେଠାରୁ ଫେରାର ହୋଇଯାଇଥିବା ବେଳେ ତାକୁ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।

