Homelocalଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ସର୍ବାଧିକ ୪୭୩.୯ ମିମି ବର୍ଷା: ଆଜି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ,...

ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ସର୍ବାଧିକ ୪୭୩.୯ ମିମି ବର୍ଷା: ଆଜି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଖୋଲା ରହିଛି ଇନ୍ଦ୍ରାବତୀର ୬ ନମ୍ବର ଗେଟ୍

ଭୁବନେଶ୍ୱର, (୨୪/୦୯) : ଆପ୍ର : ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତର ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷାର ତାଣ୍ଡବ ଜାରି ରହିଛି ।

ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଗତ ୨୪ ଘଣ୍ଟାରେ ନବରଙ୍ଗପୁରରେ ୪୭୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ କେଉଁଠି ଝିପିଝିପି ତ କେଉଁଠି ତୁହାକୁ ତୁହା ବର୍ଷା ଜାରି ରହିଛି। ଏତେ ବର୍ଷା ସତ୍ତ୍ୱେ ଜିଲ୍ଲାରେ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ଆଗାମୀ କିଛି ଘଣ୍ଟାରେ ବର୍ଷାର ପରିମାଣ ବଢ଼ିଲେ ସ୍ଥିତି ବଦଳିପାରେ ବୋଲି ପ୍ରଶାସନ ସତର୍କ ରହିଛି ।

ଏପଟେ ଇନ୍ଦ୍ରାବତୀ ଜଳଭଣ୍ଡାରର ୬ ନମ୍ବର ଗେଟ୍ ଦେଇ ପାଣି ନିଷ୍କାସନ ଜାରି ରହିଛି । କୋଲାବ-ଇନ୍ଦ୍ରାବତୀ ବେସିନ୍ କାର୍ଯ୍ୟାଳୟର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରାଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଇନ୍‌ଫ୍ଲୋ ଓ ଆଉଟ୍‌ଫ୍ଲୋ ସମାନ ରହିଥିବାରୁ ଅଧିକ ଗେଟ୍ ଖୋଲିବାର ଆବଶ୍ୟକତା ପଡ଼ିନାହିଁ । ବନ୍ୟାପ୍ରବଣ କୋଷାଗୁମୁଡ଼ା ବ୍ଲକରେ ମଧ୍ୟ ଏବେ ସ୍ଥିତି ସ୍ୱାଭାବିକ ରହିଛି । ତଥାପି ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ସମସ୍ତ ବ୍ଲକରେ ଅଗ୍ନିଶମ ବାହିନୀ ଆବଶ୍ୟକୀୟ ସରଞ୍ଜାମ ସହ ପ୍ରସ୍ତୁତ ରହିଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗର୍ଭବତୀ ମହିଳାମାନଙ୍କୁ ଉମରକୋଟସ୍ଥିତ ‘ମା’ ଘରକୁ ସ୍ଥାନାନ୍ତର କରାଯାଇଛି ।

IMD ଅନୁସାରେ, ଆଜି ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପାଣିପାଗ ବିଭାଗ ସତର୍କ କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments