ହରଭଙ୍ଗା, (୩୧/୦୭) : ଆପ୍ର : ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ବୁଧବାର ମହନଦୀରେ ବଡଧରଣର ବନ୍ୟା ପରିସ୍ଥିତି ଦେଖାଦେଇଥିଲା ।
ଅପରାହ୍ନ ୨ଟା ପରେ ମହାନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ ମହାନଦୀରେ ଆଶଙ୍କା ପାଇଥିବା ବଡଧରଣର ବନ୍ୟା ପରିସ୍ଥିତି ଏକ ପ୍ରକାର ଟଳି ଯାଇଛି। ବନ୍ୟା ପରିସ୍ଥିତି ଟଳିଥିବା ବେଳେ ବର୍ତମାନ ସୁଦ୍ଧା ହରଭଙ୍ଗା ତହସିଲର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି । ଯାହା ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ।
ଖବର ଲେଖା ପର୍ଯ୍ୟନ୍ତ ଜଳବନ୍ଦୀ ଅବସ୍ଥାରେ କୁଶଙ୍ଗ ପଞ୍ଚାୟତର ମାରଡା, ହରଭଙ୍ଗା ପଞ୍ଚାୟତର, କୋଡାଶିଙ୍ଗା, ଧଳପୁର ପଞ୍ଚାୟତର ଖଣ୍ଡିଧଳପୁର, ଶଙ୍କୁଲେଇ ପଞ୍ଚାୟତର ପାଣିଘରା, ବୀରନରସିଂହପୁର ପଞ୍ଚାୟତର ହାଟଗାଁ, କରଡି, ସରସରା ପଞ୍ଚାୟତର ଝରାସାହି ଭଳି ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିବା କୋଡାଶିଙ୍ଗା, ଖଣ୍ଡିଧଳପୁର ଏବଂ ମାରଡା ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ ସହିତ ରନ୍ଧାଖାଦ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।
ଏହି ସମୟରେ ମହାନଦୀକୁ ଗାଧୋଇବା, ଶୌଚ, ମାଛ ଧରିବାକୁ ଏବଂ ଗାଈଗୋରୁକୁ ନଛାଡିବା ପାଇଁ ପଞ୍ଚାୟତ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି। ଅନ୍ୟପଟେ ହରଭଙ୍ଗା ତହସିଲଦାର ତଥା ବିଡିଓ କର୍ଣ୍ଣ ସୁନା କୋଡାଶିଙ୍ଗା ଗ୍ରାମରେ ଡଙ୍ଗା ସାହାଯ୍ୟରେ ପଂହଚି ଗାଁ ଲୋକଙ୍କୁ ସର୍ତକ କରିବା ସହିତ ତାଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହା ସହିତ ଗାଁ ଲୋକଙ୍କୁ ଚୂଡା, ବିସ୍କୁଟ, ମହମବତୀ, ଦିଆସିଲ ଆଦି ପ୍ରଦାନ କରାଯାଇଛି। ରାତିରେ ହରଭଙ୍ଗା ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ଆଜି ବନ୍ୟାଚଂଳ ଗସ୍ତ ସମୟରେ ତହସିଲଦାରଙ୍କ ସହିତ ହରଭଙ୍ଗା ସଂରପଚ ପ୍ରତିନିଧି ପ୍ରକାଶ ବେହେରା, ପିଇଓ ଦିପ୍ତିରଞ୍ଜନ ପ୍ରଧାନ, ସ୍ଥାନୀୟ ଓାର୍ଡ ସଭ୍ୟ ଜୟଦେବ କର୍ଣ୍ଣ, ଯୋଗାଣ ସହାୟକ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ମାରଡା ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ
ହରଭଙ୍ଗା : ଦୀର୍ଘ ୪ ଦିନ ହେଲା ଜଳବନ୍ଦୀରେ ଥିବା କୁଶଙ୍ଗ ପଞ୍ଚାୟତର ମାରଡା ଗାଁଲୋକଙ୍କୁ ପଞ୍ଚାୟତ ତରଫରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହି ସମୟରେ ଗାଁ ଲୋକଙ୍କୁ ମହାନଦୀକୁ ଗାଧୋଇବା, ଶୌଚ, ମାଛ ଧରିବା ଏବଂ ଗାଈଗୋରୁ ଗାଧୋଇବାକୁ ବାରଣ କରାଯାଇଛି। କୁଶଙ୍ଗ ପଞ୍ଚାୟତ ସଂରପଚ ଜିତେନ୍ଦ୍ର କୁମାର ବେହେରା, ପିଇଓ ଜଗଦୀଶ ମଲ୍ଲିକ ଅଭୟାରଣ୍ୟ ମଧ୍ୟରେ ଯାଇ ମାରଡା ଗାଁ ଲୋକଙ୍କୁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିଥିବା ସୂଚନା ମିଳିଛି ।
ମହାନଦୀ ବନ୍ୟାରେ ହେକ୍କର ହେକ୍ଟର ଚାଷ ଜମି ଜଳମଗ୍ନ
ହରଭଙ୍ଗା : ଗୁରୁବାର ଜଳସ୍ତର ହ୍ରାସଯୋଗୁଁଁ ମହାନଦୀରେ ବଡଧରଣର ବନ୍ୟା ଟଳିଯାଇଛି । ମାତ୍ର ଦୁଇ ଦିନ ହେଲା ହରଭଙ୍ଗା ତହସିଲର ନଦୀକୂଳରେ ଥିବା ହେକ୍ଟର ହେକ୍ଟର ଧାନ ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି। ଯାହା ଫଳରେ ଧାନଫସଲ ନଷ୍ଟ ହେବା ଅଧିକ ସମ୍ଭାବନା ରହିଛି। ଏଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।

