Homelocalବନ୍ୟାରେ ବେହାଲ ଉତ୍ତର ଓଡ଼ିଶା, ପାଣି ଘେରରେ ଶହ ଶହ ଗାଁ

ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା, ପାଣି ଘେରରେ ଶହ ଶହ ଗାଁ

ଭୁବନେଶ୍ବର, (୩୧/୦୭) : ଆପ୍ର : ବନ୍ୟାରେ ଉତ୍ତର ଓଡ଼ିଶା ବେହାଲ । ପାଣି ଘେରରେ ଶହ ଶହ ଗାଁ। ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ପରେ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଜଟିଳ ହୋଇପଡ଼ିଛି ।

ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବା ସହ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ବୈତରଣୀ ନଦୀର ବଢ଼ିଥିବା ଜଳପ୍ରବାହ ଭଦ୍ରକର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ୍ ସହ ଯାଜପୁରର ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ କରିଛି। ନଦୀବନ୍ଧ ଉପରେ ଚାପ ବଢ଼ିଥିବା ବେଳେ ଅନେକ ଗାଁ ଜଳଘେରରେ ରହିଛି ଓ ହଜାର ହଜାର ଲୋକ ଫସି ରହିଛନ୍ତି । ଶିମିଳିପାଳ ପାହାଡ଼ରୁ ଆସୁଥିବା ପ୍ରବଳ ଜଳପ୍ରବାହ ଯୋଗୁଁ ବୁଢ଼ାବଳଙ୍ଗ ନଦୀ ଫୁଲିଉଠିଛି। ଫଳରେ ବାଲେଶ୍ୱର ସହର ଓ ଏହାର ଉପକଣ୍ଠ ସହିତ ମୟୂରଭଞ୍ଜର କିଛି ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।

ସାଳନ୍ଦୀ ନଦୀର ପାଣି କେନ୍ଦୁଝର ଓ ଭଦ୍ରକର ବିସ୍ତୀର୍ଣ୍ଣ ଚାଷଜମିକୁ ଜଳମଗ୍ନ କରିଥିବାବେଳେ ବାଲେଶ୍ୱରର ଜଳକା ନଦୀ ବିପଦସୀମା ଉପରେ ପ୍ରବାହିତ ହେଉଛି । ଏଥିଯୋଗୁଁ ଅନେକ ଗ୍ରାମୀଣ ରାସ୍ତାର ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏନ୍ ଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ଗୁଡ଼ିକ ଡଙ୍ଗା ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଦିଆଯାଉଛି ।

ସତର୍କତା ସ୍ୱରୂପ ପ୍ରଭାବିତ ଜିଲ୍ଲାଗୁଡ଼ିକର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ବିଭିନ୍ନ ସରକାରୀ କୋଠାକୁ ଅସ୍ଥାୟୀ ଆଶ୍ରୟସ୍ଥଳରେ ପରିଣତ କରାଯାଇଥିବାବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀମାନେ ପରିସ୍ଥିତି ଉପରେ ସିଧାସଳଖ ନଜର ରଖିଛନ୍ତି । ନଦୀକୂଳ, ପୋଲ ଓ ବୁଡ଼ିଯାଇଥିବା ରାସ୍ତାକୁ ନଯିବା ପାଇଁ ପ୍ରଶାସନ ଲୋକଙ୍କୁ ଅପିଲ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments