ପୁରୀ, (୨୧/୧୦) : ଆପ୍ର : ଆଜି ଶ୍ରୀମନ୍ଦିରରେ ବିଜୟା ଦଶମୀ । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପନ୍ନ କରାଯିବ। ସକାଳ ଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବ । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ , ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିବେ ।
ସେପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରବା ପାଇଁ ପୁରୀରେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏପଟେ ମା’ ବିମଳାଙ୍କ ପ୍ରତିନିଧି ମା’ କାକୁଡିଖାଇଙ୍କର ଆଜି ବିସର୍ଜନ ଥିବାବେଳେ ଆସନ୍ତକାଲି ଅନ୍ୟାନ୍ୟ ଗୋଷାଣୀ ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।

