ଭୁବନେଶ୍ୱର, (୧୩/୧୦) : ଆପ୍ର : ଲୋକସେବା ଭବନଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଏବଂ ସେବାୟତମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା ଏହି ବୈଠକରୁ ପ୍ରକାଶ ପାଇଛି । ଏହି ସମୀକ୍ଷା ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିସହିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ମହାପ୍ରସାଦ ରନ୍ଧନ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ସମେତ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠ ଏବଂ କାକଟପୁରର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ଶିକ୍ଷା ପଦ୍ଧତି ଆଧାରରେ ପୁନରୁଦ୍ଧାର କରାଯିବା ସହ ବକୁଳବନର ପୁନରୁଦ୍ଧାର କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଐତିହାସିକ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍ ର ପୁନଃନିର୍ମାଣ, ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶ, ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ‘ସାଗର ବିଜେ’ ନୀତିର ସୁପରିଚାଳନା ଏବଂ ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ଯୋଗାଯୋଗ ଓ ଭିତ୍ତିଭୂମି କ୍ଷେତ୍ରରେ ପୁରୀରୁ ବ୍ରହ୍ମଗିରି, ପୁରୀରୁ କୋଣାର୍କ ଏବଂ ପୁରୀ-ଭୁବନେଶ୍ୱର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା । ଏହାବ୍ୟତୀତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଏବଂ କୋଣାର୍କ ମନ୍ଦିର ସଂଲଗ୍ନ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ କୌଣସି ଅବହେଳା ନକରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ହେବ ।
ପୁରୀ ସହରର ଗୌରବ ଓ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ବିଶେଷ ସଂବେଦନଶୀଳତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୁରୀ କେବଳ ଏକ ଜିଲ୍ଲା ନୁହେଁ, ଏହା ସମଗ୍ର ଓଡ଼ିଶାର ଅସ୍ମିତା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର କେନ୍ଦ୍ର । ତେଣୁ ଶ୍ରୀକ୍ଷେତ୍ରର ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବାସ୍ତବରେ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ସ୍ଥାନୀୟ ସେବାୟତ, ବ୍ୟବସାୟୀ ଏବଂ ଆବାସିକ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବ, ସେଥିପ୍ରତି ପ୍ରଶାସନ ସଜାଗ ରହିବା ଜରୁରୀ । ପ୍ରତ୍ୟେକଟି ଯୋଜନାର ଶେଷ ଫଳପ୍ରଦତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସଂପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ପ୍ରକଳ୍ପ କାର୍ଯ୍ୟକାରିତାରେ କୌଣସି ପ୍ରକାରର ଅବହେଳା, ବିଳମ୍ବ କିମ୍ବା ଅନିୟମିତତାକୁ ଆଦୌ ସହ୍ୟ କରାଯିବ ନାହିଁ। ସମସ୍ତ ବିଭାଗୀୟ ଅଫିସର, ଜିଲ୍ଲାପାଳ ଓ ଏସ.ପି.ଙ୍କୁ କ୍ଷେତ୍ରସ୍ତରରେ ନିଜେ ତଦାରଖ କରି ନିର୍ଦ୍ଧାରିତ ସମୟସୀମା (time-bound execution) ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଯୋଜନାଗୁଡ଼ିକ ଯେପରି କେବଳ କାଗଜପତ୍ରରେ ସୀମିତ ନରହି ପ୍ରତ୍ୟକ୍ଷ ଭାବେ ପୁରୀବାସୀଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅଭିବୃଦ୍ଧିରେ ସହାୟକ ହେବ, ସେହି ନିଷ୍ଠା ଓ ଦାୟିତ୍ୱବୋଧର ସହ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଉନ୍ନୟନ କମିଶନର ଡି.କେ ସିଂହ , ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର , ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

