ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ବିବାହ ନୀତି ଅନୁଷ୍ଠିତ, ନୀତିକାନ୍ତି ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ

Date:

Share post:

ପୁରୀ, (୨୫/୦୬) : ଆପ୍ର : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଋକ୍ମିଣୀ ହରଣ ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ସମ୍ପନ୍ନ ହେବ ।

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ କରାଯିବାର ପରମ୍ପରା ରହିଆସିଛି । ନୀତିକାନ୍ତି ସମୟରେ ସୁରକ୍ଷା ଓ ପରମ୍ପରା ରକ୍ଷା ପାଇଁ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ଦିନ ୧ ଟାରୁ ୬ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଏହି ଦିନ ସକାଳଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀମଦନମୋହନ ବେଶ କରାଯାଇଥାଏ ।

ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ନୀତିକାନ୍ତି କରାଯାଇ ସଂଧ୍ୟାରେ ମହାପ୍ରଭୁଙ୍କ ସହ ଦେବୀ ଋକ୍ମିଣୀଙ୍କ ବିବାହ ନୀତି ସମାପିତ ହୋଇଥାଏ ।ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ବିଜେ କରାଇ ସାତ ପାହାଚଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାନ୍ତି । ଏହାପରେ ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି । ମହାଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ଶ୍ରୀଦେବୀଙ୍କୁ ପଞ୍ଚାମୃତରେ ମହାସ୍ନାନ ହୋଇ ମାର୍ଜଣା, ବନକଲାଗି ଓ ଅଳଙ୍କାର ଲାଗି ହୋଇଥାନ୍ତି । ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି ।

ଭିତରଚ୍ଛ ମହାପାତ୍ର ଏହି ତାଳପତ୍ର ଓ ଲେଖନୀ ଶ୍ରୀଦେବୀଙ୍କର ଶ୍ରୀହସ୍ତ ସ୍ପର୍ଶ କରାଇ ତଢ଼ାଉକରଣକୁ ଦେବାରେ ସେ ଚିଟାଉ ଲେଖିଥାନ୍ତି । ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ଜନୈକ ସେବକ ଚିଟାଉ ନେଇ ଘଣ୍ଟ ଛତା, କାହାଳୀ ସହ ଜୟବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି । ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି । ସେଠାରେ ପୁରାଣପଣ୍ଡା, ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ ।

ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖାଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରିଥାନ୍ତି । ଏହିସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି । ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବା ପରେ ବିମଳାଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀମଦନମୋହନ ଶ୍ରୀଦେବୀ ତଥା ଦେବୀ ରୁକ୍ମିଣୀଙ୍କୁ ହରଣ କରିଥାନ୍ତି । ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ ।

ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ୱତୀଙ୍କ ମନ୍ଦିର ନିକଟରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି । ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ ।ପରେ ରତ୍ନସିଂହାସନ ଯାତ ଭୋଗ ଉଠିବା ପରେ ଜଳକ୍ରୀଡ଼ା ଶେଷ ହେବା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ ବଢି ମହାସ୍ନାନ ପୂର୍ବକ ନୂଆଲୁଗା ଲାଗି, ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପରେ ବିବାହ ନୀତି ଆରମ୍ଭ ହୋଇଥାଏ । ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ସମ୍ପାଦିତ ଏହି ବିବାହ ନୀତି ଶେଷ ହେବାପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ । ସେପଟେ ମୟୁରଭଞ୍ଜରେ ରୁକ୍ମିଣୀ ବିବାହ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...