Homelocalରେଡକ୍ରସ୍ ପାଣ୍ଠିରୁ ୮ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ ଅଭିଯୋଗ, ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସର ବରିଷ୍ଠ...

ରେଡକ୍ରସ୍ ପାଣ୍ଠିରୁ ୮ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ ଅଭିଯୋଗ, ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ଗିରଫ

କଟକ, (୦୧/୧୧) : ଆପ୍ର : ରେଡକ୍ରସ୍ ପାଣ୍ଠିରୁ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ଆତ୍ମସାତ୍ ଅଭିଯୋଗରେ ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଗିରଫ ଅଭିଯୁକ୍ତ ସଦାଶିବ ପ୍ରଧାନ । ସେ ପୂର୍ବରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ଏବେ ସେ ସୋରଡ଼ା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବରରୁ ୨୦୨୫ ଅଗଷ୍ଟ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ବିଭାଗରେ ସରକାରୀ ଅର୍ଥ ଜମା ନହେବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଅଭିଯୋଗର ତଦନ୍ତ ସହ ଆର୍ଥିକ କାରବାରର ଯାଞ୍ଚ କରାଯାଇଥିଲା । ସଦାଶିବ ପ୍ରଧାନ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ବିଭାଗ ଦାୟିତ୍ୱରେ ଥିଲେ ।

ସରକାରୀ ଅର୍ଥ ଓ ରେଡକ୍ରସ୍ ପାଣ୍ଠିର ପରିଚାଳନା ସହ ଅର୍ଥ ସଂଗ୍ରହ ଏବଂ ଜମା ରଖିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ଏହି ସମୟ ମଧ୍ୟରେ ଅଭିଯୁକ୍ତ ସଦାଶିବ ସରକାରୀ ରସିଦ ବହି ଜାରି କରି ରେଡକ୍ରସ୍ ପାଣ୍ଠି ପାଇଁ ମୋଟ ୮ ଲକ୍ଷ ୬୩ ହଜାର ୨୦୦ ଟଙ୍କା ସଂଗ୍ରହ କରିଥିଲେ । ତେବେ ଏହି ଅର୍ଥକୁ ଛତ୍ରପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ନିର୍ଦ୍ଧାରିତ ବ୍ୟାଙ୍କ ଖାତାରେ ଜମା ପରିବର୍ତ୍ତେ ଆତ୍ମସାତ୍ କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗିରଫ ସଦାଶିବ ପ୍ରଧାନଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯିବ। ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments