ରାୟଗଡା, (୦୧/୦୯) : ଆପ୍ର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପତ୍ର ସଂଖ୍ୟା ୨୪୨୩୭ ତାରିଖ:୨୫.୦୮.୨୦୨୬ ର ନିର୍ଦ୍ଦେଶକ୍ରମେ, ରାୟଗଡା ପୌରପରିଷଦ ଅଡିଟୋରିୟମ୍ ପରିସରରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଗୌରବର ସହିତ ଅନୁଷ୍ଠିତ ହୋଇଯାଇଛି ।
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀ କାଡ୍ରାକା ଆପାଲା ସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାୟଗଡା ଜିଲ୍ଲାର ଅତିରିକ୍ତ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହିତ ପୌରପରିଷଦର ପୌରାଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ, ପୌରପରିଷଦର ସମସ୍ତ କାଉନସିଲର ବୃନ୍ଦ, ତଥା ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀଗଣ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।
ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଅଡିଟୋରିୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହର ସିଧା ପ୍ରସାରଣକୁ ରାୟଗଡ଼ ପୌରପରିଷଦ ଅଡିଟୋରିୟମରେ ଏଲ୍.ଇ.ଡି ସ୍କ୍ରିନ୍ ମାଧ୍ୟମରେ ସଫଳତାର ସହ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଜନସାଧାରଣ, ପୌର କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ସିଧା ପ୍ରସାରଣକୁ ଉପଭୋଗ କରିବା ସହ ସହରାଞ୍ଚଳ ବିକାଶର ନୂତନ ଦିଗ୍ଦର୍ଶନ ସମ୍ପର୍କରେ ଅବଗତ ହୋଇଥିଲେ ।
ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ ଅଧିନରେ ଯୋଗ୍ୟ ବିବେଚିତ ହିତାଧିକାରି ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇ ଥିଲା । ଏହା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉପସ୍ଥିତ ଜନସାଧାରଣ , ପୌର କର୍ମଚାରି ଏବଂ ଅତିଥି ମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥାର ଉନ୍ନତିକରଣ ଏବଂ ସହରାଞ୍ଚଳ ନାଗରିକମାନଙ୍କୁ ଉନ୍ନତମାନର ମୌଳିକ ସୁବିଧା ଯୋଗାଇଦେବା ଦିଗରେ ପୌରପରିଷଦ ନିରନ୍ତର କାର୍ଯ୍ୟ କରୁଛି ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମାରୋହରେ ଶୃଙ୍ଖଳା, ପରିମଳ ତଥା ଜଳଯୋଗାଣର ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ପୌର ପରିଷଦର କାର୍ଯ୍ୟ ନିର୍ଵାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସମାପ୍ତ ହୋଇଥିଲା ।

