ଗୁଣପୁର, (୧/୧୧) : ଆପ୍ର : ରାୟଗଡା ଜିଲ୍ଲା ଭାମିନି ସ୍ଥିତ ୨ୟ ଇଣ୍ଡିଆ ରିଜର୍ଭ ବାଟାଲିଅନ୍ (2nd IRB) ପରିସରରେ ଶନିବାର ଭବ୍ୟ ଭାବେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି ।
ଦେଶର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ ତମ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଟାଲିଅନର ଦୁର୍ଗପତୀ ବ୍ରଜ ମୋହନ ନାୟକ ଙ୍କ ନେତୃତ୍ୱରେ କର୍ମଚାରୀ ଓ ଜବାନମାନେ ଉପସ୍ଥିତ ରହି ଜାତୀୟ ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ ବାଟାଲିଅନର କମାଣ୍ଡାଣ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଓ ଦେଶ ଗଠନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଜାତୀୟ ଏକତା ହିଁ ଭାରତର ଶକ୍ତି ଏବଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ।
କାର୍ଯ୍ୟକ୍ରମରେ ଶପଥ ପାଠ, ପରେଡ୍ ଏବଂ ଏକତାର ବାର୍ତ୍ତା ପ୍ରଦାନ କରୁଥିବା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏକତା ନଗର ମହାରାଷ୍ଟ୍ର ଠାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଉପସ୍ଥିତି ରେ ଆୟୋଜିତ କାର୍ଯ୍ୟକ୍ରମକୁ ଡାଇରେକ୍ଟ ଟେଲିକାଷ୍ଟ ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା । ସ୍ଥାନୀୟ ସ୍କୁଲ ର କୁନି କୁନି ପିଲାମାନଙ୍କୁ ନେଇ ବକୃତା ପ୍ରତିଯୋଗୀତା , ଦେଶାତ୍ମବୋଧକ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ବାଟାଲିୟନର କିଛି କଳାକାର ମାନଙ୍କ ଦ୍ୱାରା ନିଶା ନିବାରଣ ଉପରେ ଏକ ସୁନ୍ଦର ନାଟକ ପ୍ରଦର୍ଶିତ ହୋଇଥିଲା । ଉପସ୍ଥିତ ସମସ୍ତ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଦେଖି ଭାବ ବିଭୋର ହୋଇ ପଡ଼ିଥିଲେ । ଶେଷରେ ସମସ୍ତେ ଦେଶର ଏକତା ଓ ଭ୍ରାତୃତ୍ୱର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପ ନେଇଥିଲେ ।

