ଭୁବନେଶ୍ୱର, (୧୦/୧୦) : ଆପ୍ର : ରାଜ୍ୟ ସରକାର ଆଣିବେ ସୋସିଆଲ ମିଡିଆ ନୀତି । ମନିଟରିଂ ଜରିଆରେ ଲୋକଙ୍କ ମତାମତ ନିଆଯିବ ।
ସରକାରୀ ସୂଚନା ସେବା ବ୍ୟବସ୍ଥାରେ ସାମାଜିକ ଗଣମାଧ୍ୟମର ପ୍ରୟୋଗ ସୁଦୃଢ଼ ହେବ । ସୋସିଆଲ ମିଡିଆରେ ଆଗେଇବାକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦେଇଛନ୍ତି 3S ଫର୍ମୂଲା । ବିଜ୍ଞାପନ ପରିଚାଳନା ପାଇଁ ଇ-ସଞ୍ଚାର ଆପର ଶୁଭାରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ଆଗେଇବାକୁ ହେବ । ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଇ ସୋସିଆଲ ମିଡିଆକୁ କିଭଳି ଅଧିକ ଫୋକସ କରିବାକୁ ହେବ ସେ ନେଇ ଦିଗଦର୍ଶନ ଦେଇଛନ୍ତି । ନକାରାତ୍ମକ ନୁହେଁ, ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । AI, ChatGPT ଭଳି ପ୍ରଯୁକ୍ତି ବିଦ୍ୟାର ଉପଯୋଗକୁ ଗୁରୁତ୍ବ ଦେଇଛନ୍ତି । ତେବେ ଏହାର ସଦୁପଯୋଗ ହେବା ଆବଶ୍ୟକ ବୋଲି କହିଛନ୍ତି ସିଏମ୍ ।
ସୋସିଆଲ ମିଡିଆ ଜରିଆରେ ଲୋକେ କଣ କହୁଛନ୍ତି, ସେମାନଙ୍କ ମତାମତକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ସୂଚନା ସେବା ଅଧିକାରୀଙ୍କୁ ଦେଇଛନ୍ତି 3S ଫର୍ମୁଲା । ଖବର ସଠିକ୍, ଶୀଘ୍ର ଏବଂ ସରଳ ହେବା ଦରକାର । ସେହିପରି ଯୁବପିଢ଼ି, ବିଶେଷ କରି Gen-Z ଏବେ ସୋସିଆଲ ମିଡିଆରେ ବହୁ ଆଗରେ । ସେମାନଙ୍କୁ ଟାର୍ଗେଟ କରି ‘ଇମର୍ଜିଂ ଟ୍ରେଣ୍ଡ ଇନ୍ ସୋସିଆଲ ମିଡିଆ’ ଉପରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଅଧିକାରୀଙ୍କ କାମ କେବଳ ପ୍ରେସ ବିଜ୍ଞପ୍ତି ଦେବା ନୁହେଁ । ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ସେମାନଙ୍କର ପ୍ରମୁଖ ଦାୟିତ୍ୱ । ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାରେ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଅଗ୍ରଣୀ ଭୂମିକା ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସରକାରୀ ବିଜ୍ଞାପନ ବ୍ୟବସ୍ଥାରେ ଶତପ୍ରତିଶତ ପାରଦର୍ଶିତା ଆଣିବା ଲକ୍ଷ୍ୟରେ ‘ଇ-ସଞ୍ଚାର’ ଆପ୍ ର ଶୁଭାରମ୍ଭ କରାଯାଇଛି ।

