Homecrimeରାଉରକେଲା ପୋଲିସର ବଡ଼ ସଫଳତା : ଛିନତାଇ ଓ ଡକାୟତି ମାମଲାର ପର୍ଦ୍ଦାଫାଶ, ୬ ଗିରଫ

ରାଉରକେଲା ପୋଲିସର ବଡ଼ ସଫଳତା : ଛିନତାଇ ଓ ଡକାୟତି ମାମଲାର ପର୍ଦ୍ଦାଫାଶ, ୬ ଗିରଫ

ରାଉରକେଲା, (୦୪/୧୦) : ଆପ୍ର : ରାଉରକେଲା ପୋଲିସର ବଡ଼ ସଫଳତା । ଦୁଇଟି ପୃଥକ ମାମଲାରେ ମୋଟ ୬ ଅଭିଯୁକ୍ତ ଗିରଫ ।

ଛିନତାଇ ଓ ଡକାୟତିରେ ବ୍ୟବହୃତ ସାମଗ୍ରୀ ସହ ଚୋରି ସମ୍ପତ୍ତି ଜବତ । ଛେଣ୍ଡ ଥାନା ଅଞ୍ଚଳରେ ଘଟିଥିବା ଏକ ଛିନତାଇ ମାମଲାର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ । ଘଟଣାରେ ଦୁଇ ଅଭିଯୁକ୍ତ ସୁଭମ କୁମାର ତାଜନ ଓ ପ୍ରକାଶ ରାୟଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ ତାରିଖ ରାତି ପ୍ରାୟ ୮ଟା ୧୫ ସମୟରେ ଛେଣ୍ଡର ପତଞ୍ଜଳି ଷ୍ଟୋର ନିକଟରେ ଜଣେ ମହିଳା ଘରକୁ ଫେରୁଥିବା ବେଳେ ଲାଲ୍ ରଙ୍ଗର ଏକ ବାଇକରେ ଆସିଥିବା ଦୁଇ ଜଣ ତାଙ୍କଠାରୁ ୱାଲେଟ୍ ଛଡ଼ାଇ ନେଇଥିଲେ । ୱାଲେଟ୍‌ରେ ସୁନା କାନଫୁଲ, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଛେଣ୍ଡ ଥାନାରେ ମାମଲା ରୁଜୁ କରାଯାଇ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲା ।

ଗୁପ୍ତ ସୂଚନା ଓ ତଦନ୍ତ ଆଧାରରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା । ସେମାନଙ୍କଠାରୁ ଦୁଇଟି ସୁନା କାନମୁଦି, ଗୋଟିଏ ମୋଟୋରୋଲା ଆଣ୍ଡ୍ରଏଡ୍ ମୋବାଇଲ୍ ଏବଂ ଗୋଟିଏ ପଲସର ବାଇକ୍ ଜବତ ହୋଇଛି । ଗିରଫ ଅଭିଯୁକ୍ତ ପ୍ରକାଶ ରାୟଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି । ସେହିପରି ଛେଣ୍ଡ ଥାନାରେ ରୁଜୁ ହୋଇଥିବା ଅନ୍ୟ ଏକ ଡକାୟତି ମାମଲାର ମଧ୍ୟ ପର୍ଦ୍ଦାଫାଶ କରିଛି ପୋଲିସ । ଅକ୍ଟୋବର ୧ ତାରିଖ ରାତିରେ ଏୟାରପୋର୍ଟ ଅଞ୍ଚଳକୁ ଯାଇଥିବା ଦୁଇ ଯୁବକଙ୍କୁ ଚାରି ଜଣ ବ୍ୟକ୍ତି ଲୁହା ରଡ୍ ଓ ବାଡ଼ିରେ ଆକ୍ରମଣ କରିଥିଲେ ।

ଧମକ ଦେଇ ସେମାନଙ୍କଠାରୁ ଏକ ଆଇଫୋନ୍-୧୪ ଓ ନଗଦ ୧ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା । ଘଟଣା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗୁପ୍ତ ସୂଚନା ଆଧାରରେ ଉମେଶ ପଣ୍ଡା, ଆକାଶ ବଡାଇକ, ମନୋଜ କୁମାର ଠାକୁର ଓ ଚିଣ୍ଟୁ ରାୟଙ୍କୁ ଗିରଫ କରାଯାଇଛି । ଏହି ଦୁଇଟି ମାମଲାରେ ଅଭିଯୁକ୍ତଙ୍କ ଠାରୁ ଚୋରି ଓ ଛିନତାଇ ସାମଗ୍ରୀ ଉଦ୍ଧାର କରାଯାଇଥିବା ବେଳେ, ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments