ବାଲିଗୁଡ଼ା, (୦୪/୧୦) : ଆପ୍ର : କାର୍ଯ୍ୟାଳୟର ଫାଇଲ୍ ଭିତରେ ସୀମିତ ନରହି ଲୋକଙ୍କ ନିକଟକୁ ପହଞ୍ଚି ଅଞ୍ଚଳର ସମସ୍ୟା ଅନୁଧ୍ୟାନ କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣୀତା ଦାସ ।
ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁକୁ ଅଚାନକ ଗସ୍ତ କରି ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିଥିଲେ । ଗସ୍ତ ସମୟରେ ଉପଜିଲ୍ଲାପାଳ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟଳେୟ ପରିଦର୍ଶନ କରି ରାଜସ୍ୱ ସମ୍ପର୍କିତ କାର୍ଯ୍ୟକଳାପ ଓ ଅଞ୍ଚଳର ସାମଗ୍ରିକ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସ୍ଥାନୀୟ ନେତୃବୃନ୍ଦ ଓ ଅଞ୍ଚଳବାସୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ୯ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ବ୍ରାହ୍ମଣୀଗାଁରେ ଜିଓ ନେଟୱାର୍କ ପାଇଁ ଟାୱାର ସ୍ଥାପନ, ଅତିରିକ୍ତ ତହସିଲଦାର ନିଯୁକ୍ତି, ଋଷିମାଲ ମହାବିଦ୍ୟାଳୟର ପାନୀୟ ଜଳ ସମସ୍ୟାର ସମାଧାନ, ବସ୍ଷ୍ଟପ୍ ଓ ସୁଲଭ ଶୌଚାଳୟ ନିର୍ମାଣ ଆଦି ଦାବି ରହିଥିଲା ।
ସେହିପରି ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମରାମତି, ଲାବୋରେଟୋରି ଟେକ୍ନିସିଆନ ନିଯୁକ୍ତି, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ବିଶ୍ରାମ କକ୍ଷ, ରେଭେନ୍ୟୁ ବଙ୍ଗଳାର ପୁନରୁଦ୍ଧାର ଏବଂ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ପୁନରୁଦ୍ଧାର ଭଳି ଦାବି ମଧ୍ୟ ଉଠାଯାଇଥିଲା । ଦାବିଗୁଡ଼ିକ ଉପରେ ଆଲୋଚନା କରି ଉପଜିଲ୍ଲାପାଳ ଶ୍ରୀମତୀ ଦାସ ଋଷିମାଲ ମହାବିଦ୍ୟାଳୟରେ ତୁରନ୍ତ ନଳକୂପ ଖନନ ଏବଂ ବ୍ରାହ୍ମଣୀଗାଁରେ ଜିଓ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ । ଅନ୍ୟ ଦାବିଗୁଡ଼ିକୁ ମଧ୍ୟ ଗୁରୁତ୍ୱର ସହ ବିଚାର କରାଯାଇ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ ।
ଜାତୀୟ ମାନବାଧିକାର କର୍ମୀ ବିକ୍ରମ ବସୁରାଇଙ୍କ ନେତୃତ୍ୱରେ ସ୍ଥାନୀୟ ନେତୃବୃନ୍ଦ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଞ୍ଚଳର ମୌଳିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଉପଜିଲ୍ଲାପାଳଙ୍କ ଆଶ୍ୱବାସନା ପରେ ସମସ୍ୟା ଗୁଡ଼ିକର ସମାଧାନ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି । ଗସ୍ତ ସମୟରେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ।

