ପୁରୀ, (୨୫/୦୭) : ଆପ୍ର : ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିବେ ମହାବାହୁ । ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।
ବାହୁଡ଼ା ଯାତ୍ରା ପରେ ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିବ ରଥଯାତ୍ରାର ଅନ୍ୟତମ ଦିବ୍ୟ ଓ ଅପୂର୍ବ ଦୃଶ୍ୟ ମହାପ୍ରଭୁଙ୍କ ସୁନାବେଶ ବା ରାଜାଧିରାଜ ବେଶ । ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ରଥ ଉପରେ ଅପରାହ୍ଣ ୫ଟାରୁ ୬ଟା ୩୦ ଟା ମଧ୍ୟରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ରାତ୍ରି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଆଷାଢ଼ ଶୁକ୍ଳ ଏକାଦଶୀରେ ଅନୁଷ୍ଠିତ ଏହି ଦିବ୍ୟ ବେଶକୁ ବଡ଼ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ ।
ଶ୍ରୀଜୀଉଙ୍କର ବର୍ଷରେ ଏକାଧିକ ସୁନାବେଶ ଅନୁଷ୍ଠିତ ହୁଏ । କିନ୍ତୁ ରଥଯାତ୍ରା ସମୟର ସୁନାବେଶ ସବୁଠାରୁ ନିଆରା । କାରଣ ଅନ୍ୟ ସୁନାବେଶଗୁଡ଼ିକ ଶ୍ରୀମନ୍ଦିର ଭିତରେ ହେଉଥିବାବେଳେ, ଏହି ଦିନ ମହାପ୍ରଭୁ ଖୋଲା ଆକାଶ ତଳେ ରଥ ଉପରେ ରାଜାଧିରାଜ ରୂପରେ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିର ପ୍ରବେଶର ସୁଯୋଗ ନଥିବା ଭକ୍ତମାନେ ମଧ୍ୟ ବଡ଼ଦାଣ୍ଡରେ ରହି ଶ୍ରୀଜୀଉଙ୍କ ଏହି ଦୁର୍ଲଭ ରୂପ ଦର୍ଶନ କରିପାରନ୍ତି । ଏଥିପାଇଁ ସୁନାବେଶ କେବଳ ଏକ ଧାର୍ମିକ ନୀତି ନୁହେଁ, ମହାପ୍ରଭୁଙ୍କ ସର୍ବଜନୀନତାର ଏକ ଅନନ୍ୟ ପ୍ରତୀକ । ରଥଯାତ୍ରାରେ ମହାପ୍ରଭୁ ରତ୍ନସିଂହାସନ ଛାଡ଼ି ଶ୍ରଦ୍ଧାଳୁଙ୍କ ଗହଣକୁ ଆସନ୍ତି । ସୁନାବେଶରେ ସୁବର୍ଣ୍ଣ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚକ୍ର, ଶଙ୍ଖ, ହଳ ଓ ମୁଷଳ ସମେତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ଅପୂର୍ବ ଶୋଭା ଧାରଣ କରନ୍ତି। ଶ୍ରୀବଳଭଦ୍ର ସୁବର୍ଣ୍ଣ ହଳ, ମୁଷଳ ଓ କିରୀଟ ଧାରଣ କରନ୍ତି । ଦେବୀ ସୁଭଦ୍ରା ମଧ୍ୟ ମନୋରମ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୁଅନ୍ତି ।
ଏହାସହ କିରୀଟ, କୁଣ୍ଡଳ, କଦମ୍ବମାଳି, ମୟୂର ଚନ୍ଦ୍ରିକା, ତିଳକ ଓ ବିଭିନ୍ନ ପାରମ୍ପରିକ ସ୍ୱର୍ଣ୍ଣ ଆଭୂଷଣ ଶ୍ରୀଜୀଉଙ୍କ ଦିବ୍ୟ ଶୋଭାକୁ ଆହୁରି ମନୋମୁଗ୍ଧକର କରିଥାଏ । ଏହି ରୂପ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ, ସାର୍ବଭୌମତ୍ୱ ଓ ଦିବ୍ୟ ରାଜକୀୟତାର ପ୍ରତୀକ । ସୁନାବେଶ ସହ ଓଡ଼ିଶାର ଗଜପତି ରାଜାଙ୍କ ଇତିହାସ ଗଭୀର ଭାବେ ଜଡ଼ିତ । ଐତିହାସିକ ବର୍ଣ୍ଣନା ଅନୁସାରେ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତରେ ବିଜୟ ଅଭିଯାନ ପରେ ଅର୍ଜିତ ସୁନା ଓ ଧନରତ୍ନ ମହାପ୍ରଭୁଙ୍କୁ ସମର୍ପଣ କରିଥିଲେ । ପଞ୍ଚଦଶ ଶତାବ୍ଦୀରୁ ରଥ ଉପରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ଅଳଙ୍କାରରେ ସଜାଇବାର ଏହି ମହାନ ପରମ୍ପରା ଚାଲିଆସୁଥିବା ବିଶ୍ୱାସ କରାଯାଏ । ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ତିନି ରଥ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ,ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଥିଲା । ଶ୍ରୀନହର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ପରେ ସିଂହଦ୍ଵାର ଅଭିମୁଖେ ଟଣାଯାଇଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରାତି ୧୧ ଟାରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଲାଗିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଆସନ୍ତା କାଲି ରଥ ଉପରେ ହେବ ମହାପ୍ରଭୁଙ୍କ ବଡତଢ଼ାଉ ବା ଦୁର୍ଲ୍ଲଭ ସୁନାବେଶ ଅନୁଷ୍ଠିତ ହେବ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ଵାର ସମ୍ମୁଖରେ ପହଁଚିବା ପରେ ସେବାୟତଙ୍କ ଦ୍ଵାରା ଗୀତଗୋବିନ୍ଦ ଗାନ କରାଯାଇଥିଲା।

