ସୁବର୍ଣ୍ଣପୁର, (୦୩/୦୮) : ଆପ୍ର : ଯେଉଁଠି ଲୋକେ ନିଜର ପ୍ରାଣ ବଞ୍ଚାଇବା ପାଇଁ ଆଶା ନେଇ ଯାଆନ୍ତି, ସେଇଠି ଯଦି ଚିକିତ୍ସାରେ ଅବହେଳା ଯୋଗୁଁ କାହାର ଜୀବନ ଚାଲିଯାଏ, ତେବେ ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ ?
ଏଭଳି ଏକ ଅତ୍ୟନ୍ତ ହୃଦୟବିଦାରକ ତଥା ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରୁ, ଯେଉଁଠାରେ ଡାକ୍ତରଙ୍କ କଥିତ ଭୁଲ୍ ଇଞ୍ଜେକ୍ସନ ପ୍ରୟୋଗ ଯୋଗୁଁ ଜଣେ ନିରୀହ ଯୁବକଙ୍କର ଅକାଳ ବିୟୋଗ ଘଟିଛି ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ପାଣିସିଆଲି ଗ୍ରାମର ୪୫ ବର୍ଷୀୟ ପ୍ରଶାନ୍ତ ତ୍ରିପାଠୀ। ପରିବାର ଲୋକଙ୍କ କୋହଭରା ଅଭିଯୋଗ ଅନୁଯାୟୀ, ପ୍ରଶାନ୍ତ କିଛି ସାଧାରଣ ଶାରୀରିକ ସମସ୍ୟା ନେଇ ହସ୍ପିଟାଲକୁ ଆସିଥିଲେ । ଭଲ ହୋଇ ଖୁବ୍ଶୀଘ୍ର ଘରକୁ ଫେରିଯିବାର ଆଶା ଥିଲା, କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଏକ ଭୁଲ୍ ଇଞ୍ଜେକ୍ସନ ଦେଇଦେବା ଫଳରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଆଖି ପିଛୁଳାକେ, କେହି କିଛି ବୁଝିବା ପୂର୍ବରୁ ପ୍ରଶାନ୍ତଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ଏହି ଘଟଣା ପରେ ପରିବାର ଓ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳିରେ ମେଡିକାଲ ପରିସର ଫାଟି ପଡୁଛି । ପ୍ରଶାନ୍ତଙ୍କ ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ଦୃଢ଼ ଭାବରେ ଦାୟୀ କରି କ୍ଷୋଭ ପ୍ରକାଶ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।
ବର୍ତ୍ତମାନ ପୁଲିସ ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ ଏହା ଡାକ୍ତରଙ୍କର ଚିକିତ୍ସାଗତ ତ୍ରୁଟି ଥିଲା କି ? , ତାହା ପୁଲିସର ନିରପେକ୍ଷ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ । ତେବେ ପ୍ରଶାନ୍ତଙ୍କ ପରି ଜଣେ ନିରୀହ ବ୍ୟକ୍ତିଙ୍କ ଏପରି ଆକସ୍ମିକ ମୃତ୍ୟୁ ସମଗ୍ର ଅଞ୍ଚଳରେ ଘୋର ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

