ମୁରିବାହାଲ, (୨୦/୧୦) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ୫୫ ତମ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ମଙ୍ଗଳବାର ଅପରାହ୍ନ ୪ଟାରେ ପାରମ୍ପରିକ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପରମ୍ପରା ଅନୁଯାୟୀ ପୂଜାର କର୍ତ୍ତା ଅଗସ୍ତି ବଘାର ବାଜାବାଦ୍ୟ ସହ ଖଣ୍ଡା ଧରି ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ ଗ୍ରାମର ମହିଳାମାନେ ନିଜ ଘର ଦୁଆରେ ଖଣ୍ଡାକୁ ବନ୍ଦାପନା କରିଥିଲେ । ପରେ ମୁରିବାହାଲ ହାଇସ୍କୁଲ ପଡ଼ିଆରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁରିବାହାଲ ବସ୍ତି ବନ୍ଧପଡ଼ାର କାଂହୁ ସାହୁ ଲାଖ ବିନ୍ଧି ବିଜେତା ହୋଇଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ପଡ଼ିଆରେ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଅଜିତ ତରିଆ, ଉପ-ସଭାପତି ଅବିନାଶ ଭୋଇ, ସମ୍ପାଦକ ସଞ୍ଜୟ ବାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ମାହାର, ସହ-ସମ୍ପାଦକ ଜିତେଶ ସେଠ୍ ଓ ଲଳିତ କୁମାର ବଘାର ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଏଥିରେ କୁମ୍ଭାରୀର ମହାକାଳ ଦଳ, ଟିଟିଲାଗଡ଼ର ଡାଲଖାଇ ଦଳ ସମେତ ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ଦଳ ଯୋଗଦେବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

