ଭୁବନେଶ୍ୱର, (୦୭/୧୦) : ଆପ୍ର : ଆଶ୍ୱିନରେ ବୈଶାଖ ତାତି । ୩୭ ମୁହାଁ ହେଉଛି ପାରଦ । ଶରତ ଋତୁର ଆଶ୍ୱିନ ମାସରେ ରାଜ୍ୟରେ ଏବେ ବୈଶାଖ ମାସ ଭଳି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ।
ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାତାର ତାପମାତ୍ରା ବୃଦ୍ଧି ପାଇ ଚାଲିଥିବା ବେଳେ ପାରଦ ଏବେ ୩୭ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି । ସକାଳ ୮ଟା ବାଜୁ ବାଜୁ ଖରାର ପ୍ରକୋପ ବଢ଼ୁଛି । ଖରା ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ଅକ୍ଟୋବର ମାସରେ ସାଧାରଣତଃ ପାଗ ବେଶ ଭଲ ରୁହେ । କିନ୍ତୁ ଏଭଳି ତାତି ଲୋକଙ୍କୁ ପ୍ରଭାବିତ କରିଛି । ଗତକାଲି ରାଜ୍ୟର ପ୍ରମୁଖ ୫ଟି ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ସର୍ବାଧିକ ୩୬.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଢେଙ୍କାନାଳରେ ୩୬.୩ ଡିଗ୍ରୀ ରହିଥିବା ବେଳେ ପୁରୀ, ନୟାଗଡ଼ ଏବଂ ଗଜପତିର ପାରଳାଖେମୁଣ୍ଡିରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଛୁଇଁଛି । ସମୁଦ୍ରତଟବର୍ତ୍ତୀ ସହର ପୁରୀରେ ଗତ କିଛି ଦିନ ହେଲା ଦିନ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଉପକୂଳର ଆର୍ଦ୍ରତା ସହିତ ଅଧିକ ତାପମାତ୍ରା ମିଶିବାରୁ ସହରରେ ଅସ୍ଵାଭାବିକ ପରିବେଶ ସୃଷ୍ଟି ହୋଇଛି ।
ଏଭଳି କ୍ରମାଗତ ଭାବେ ଉଚ୍ଚ ତାପମାତ୍ରା ରହିବା ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ସମେତ ଶ୍ରୀକ୍ଷେତ୍ରକୁ ଆସୁଥିବା ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପକୂଳଠାରୁ ଆରମ୍ଭ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୋଳ, ଟିଟିଲାଗଡ଼, ବାଲେଶ୍ୱର, ସୋନପୁର ଏବଂ ଛତ୍ରପୁର ଭଳି ସହରଗୁଡ଼ିକରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଆଶ୍ୱିନ ମାସରେ ଶୀତଳ ପାଗ ବଦଳରେ ଏଭଳି ଗ୍ରୀଷ୍ମ ପ୍ରକୋପ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି ।

