କଟକ, (୧୪/୧୧) : ଆପ୍ର : ଆସନ୍ତା ମାର୍ଚ୍ଚ ୧୨ରୁ ମାଟ୍ରିକ୍ ପରୀକ୍ଷା । ୧୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ୨୦୨୭ ମାଟ୍ରିକ୍ ପରୀକ୍ଷା ସୂଚୀ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।
ଏହା ସହିତ ସଂସ୍କୃତ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ଆସନ୍ତାବର୍ଷ ମାର୍ଚ୍ଚ ୧୨ରୁ ଆରମ୍ଭ ହେବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା । ପରିଷଦ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୨ରେ ପ୍ରଥମ ଭାଷା, ୧୫ରେ ବିଜ୍ଞାନ, ୧୭ରେ ଗଣିତ, ୧୯ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ମାର୍ଚ୍ଚ ୧୮ରେ ଭିଜୁଆଲ ଆର୍ଟ ପ୍ରାକ୍ଟିକାଲ ପରୀକ୍ଷା ରହିଛି । ସେହିପରି ମାର୍ଚ୍ଚ ୨୪ରେ ଦ୍ୱିତୀୟ ଭାଷା, ୨୫ ରେ ତୃତୀୟ ଭାଷା ହିନ୍ଦୀ ଓ ୨୭ ତାରିଖରେ ତୃତୀୟ ଭାଷା ସଂସ୍କୃତ, ଓଡ଼ିଆ, ପାର୍ଶି ପରୀକ୍ଷା ଅନୁଷ୍ଠିତ ହେବ ।
ପରୀକ୍ଷା ସମୟ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବ। ଗଣିତ ପରୀକ୍ଷା ସକାଳ ୯ଟାରୁ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ସେହିପରି ଭିଜୁଆଲ ଆର୍ଟ ପ୍ରାକ୍ଟିକାଲ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହି ସୂଚୀ ଲାଗୁ ହେବ । ପରୀକ୍ଷାର୍ଥୀ ମାନେ ପରିଷଦର ବିଜ୍ଞପ୍ତି ଅନୁଯାୟୀ ପ୍ରସ୍ତୁତି କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି ।

