ଭୁବନେଶ୍ୱର, (୧୪/୧୧) : ଆପ୍ର : ଅର୍ଣ୍ଣବ, ମୁରାସୁ ପରେ ଏବେ ନୂଆ ବାତ୍ୟା ଆଶଙ୍କା । ବାତ୍ୟା ସୃଷ୍ଟି ହେଲେ ନାଁ ରହିବ ‘ଆକଭାନ’ । ବଙ୍ଗୋପସାଗରରେ ଲଘୁଚାପ ।
୧୫ରେ ଅବପାତ,୧୬ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ। ସ୍ପଷ୍ଟ କରିଛି ଆଇଏମଡି । ସମ୍ଭାବ୍ୟ ବାତ୍ୟାର ଗତିପଥ, କେତେ ଶକ୍ତିଶାଳୀ ହେବ ଓ କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ପୂର୍ବାନୁମାନ କରାଯାଇନାହିଁ । ପ୍ରଭାବରେ ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫-୫୫ କିଲୋମିଟର ବେଗରେ ପବନ ବହିବ । ସେହିପରି ୧୮ ଓ ୧୯ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଥିବା ରାଜସ୍ବମନ୍ତ୍ରୀ କହିଛନ୍ତି ।
ଶୀଘ୍ର ଆସିବ ବାତ୍ୟାର ଗତିପଥ
ସକାଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୧୪ ସୁଦ୍ଧା ସୁଦୃଶ୍ୟ ଲଘୁଚାପ ଏବଂ ନଭେମ୍ବର ୧୫ ସକାଳ ସୁଦ୍ଧା ଅବପାତରେ (Depression) ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ନଭେମ୍ବର ୧୬ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ (Cyclonic Storm) ପରିଣତ ହେବାର ସମ୍ଭାବନା ରହିଛି ।
ସମ୍ଭାବ୍ୟା ବାତ୍ୟା ଆକାଭନକୁ ନେଇ ଆଲର୍ଟ
ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ IMD ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଆକଳନ କରାଯାଇ ନାହିଁ । ତଥାପି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପବନ ଓ ସମୁଦ୍ର ସ୍ଥିତି: ନଭେମ୍ବର ୧୭ ତାରିଖରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ।
ବର୍ଷା ପାଇଁ ଜାରି ହେଲା ଚେତାବନୀ
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ନଭେମ୍ବର ୧୮ ଓ ୧୯ ତାରିଖରେ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନଭେମ୍ବର ୧୯ ଓ ୨୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

