ବାରଙ୍ଗ, (୦୧/୦୮) : ଆପ୍ର : ପୁଣି ଉଚ୍ଛୁଳିବ ମହାନଦୀ । ଗତକାଲି ହୀରାକୁଦ ଖୋଲିଥିବା ୨୨ଟି ଗେଟର ବନ୍ୟାଜଳ ଆସି ମୁଣ୍ଡଳୀ ପହଞ୍ଚିବ । ଫଳରେ ବନ୍ୟା ଆଶଙ୍କା ଦେଖାଦେଇଛି ।
ଆଜି ସକାଳ ୬ଟା ସୁଦ୍ଧା ୭ ଲକ୍ଷ ୨୫ ହଜାର କ୍ୟୁସେକ ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ୯୧.୯୦ ଫୁଟ ଜଳସ୍ତର ରହିଥିବା ବେଳେ ତଳ ମୁଣ୍ତରେ ୮୯.୦୦ ଫୁଟ ଜଳସ୍ତର ରହିଛି । ବିପଦ ସଂକେତ ତଳେ ରହିଥିଲେ ବି ତଳିଆ ଅଞ୍ଚଳବାସୀଙ୍କ ପାଇଁ ବିପଦ ରହିଛି । ମହାନଦୀ ଓ ଏହାର ଶାଖା ନଦୀରେ ମାଧ୍ୟମ ଧରଣର ବନ୍ୟା ଆଶଙ୍କା କରିଛି ଜଳସମ୍ପଦ ବିଭାଗ । ଜଳସମ୍ପଦ ବିଭାଗର ସୂଚନା ଅନୁସାରେ, ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ମାଧ୍ୟମ ଧରଣର ବନ୍ୟା ପରିସ୍ଥିତି ଦେଖାଦେଇପାରେ । ସେଥିପାଇଁ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା, ପ୍ରଶାସନର ପରାମର୍ଶ ମାନିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଛି । ଏହି ପରିସ୍ଥିତି ଉପରେ ପ୍ରଶାସନ ଓ ଜଳସମ୍ପଦ ବିଭାଗର ନଜର ରହିଛି । ପରବର୍ତ୍ତୀ ଜଳପ୍ରବାହ ଓ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ।

