କଟକ, (୨୩/୦୬) : ଆପ୍ର : କଟକ-ତ୍ରିଶୂଳିଆ ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇୱା-କାର ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି ।
ଦୁର୍ଘଟଣା ପରେ ହାଇୱା ଚାଳକ ଫେରାର ହୋଇଯାଇଛନ୍ତି । ତାଳଚେରରୁ କଟକ ଦେଇ କାର ଭୁବନେଶ୍ୱର ଯାଉଥିବା ବେଳେ ଭୋର ୪ ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । କାରରେ ମହିଳାଙ୍କ ସମେତ ୪ ଜଣ ଥିଲେ। କାରଟି ସୁବାସ ବ୍ରିଜ ଉପରେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାର ଚାଳକ ଚାପିହୋଇ ରହି ଯାଇଥିବାରୁ ସ୍ଥାନୀୟ ଲୋକେ ବାରଙ୍ଗ ଥାନା ପୋଲିସକୁ ସୂଚନା ଦେଇଥିଲେ ।
ପରେ ବାରଙ୍ଗ ଥାନା ପୋଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚାପିହୋଇ ରହିଥିବା କାର ଚାଳକକୁ ଉଦ୍ଧାର କରିବା ସହ ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଡ଼ାକ୍ତର କାର ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ମହିଳାଙ୍କ ସହିତ ଅନ୍ୟ ଦୁଇ ଜଣ ଆହତ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ କରୁଛି ।

