ସୁବର୍ଣ୍ଣପୁର, (୩୧/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଶାଖା ପକ୍ଷରୁ ଆଜି ସୋନପୁର ବ୍ଲକ୍ ସମ୍ମିଳନୀ କକ୍ଷଠାରେ ବିଶ୍ୱ ମିତବ୍ୟୟିତା ଦିବସ ବା ବିଶ୍ୱ ସଞ୍ଚୟ ଦିବସ ପାଳିତ ହୋଇଯାଇଛି ।
ଜିଲ୍ଲାପାଳ ଦେବାଶିଷ ସିଂ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଏଲ୍ଡିଏମ୍ କାର୍ତ୍ତିକେଶ୍ୱର ପଣ୍ଡା, ଡାକଘର ପୋଷ୍ଟମାଷ୍ଟର ପ୍ରହଲ୍ଲାଦ ପାଢ଼ୀ, ଅତିରିକ୍ତ ବିଡିଓ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନଙ୍କ ସମେତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ, ଛାତ୍ରଛାତ୍ରୀ, ଅନ୍ୟାନ୍ୟ ଅଧିକାରୀ ଓ ଜନସାଧାରଣ ଯୋଗ ଦେଇଥିଲେ । ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁଗଳ କିଶୋର ମିଶ୍ର ର୍କାଯ୍ୟକ୍ରମର ସଂଯୋଜନା କରିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ ଯେ, ଦୈନନ୍ଦିନ ଜୀବନରେ ଅଳ୍ପ ଅଳ୍ପ ଅର୍ଥ ସଞ୍ଚୟ କରିବାର ଅଭ୍ୟାସ ଗଢ଼ିତୋଳିବା ଆବଶ୍ୟକ । ନିୟମିତ ଭାବେ ସାମାନ୍ୟ ଅର୍ଥ ସଞ୍ଚୟ କଲେ ତାହା ଭବିଷ୍ୟତରେ ଏକ ବଡ଼ ପୁଞ୍ଜିରେ ପରିଣତ ହୋଇପାରିବ । ଏହାଦ୍ୱାରା ଉଚ୍ଚଶିକ୍ଷା ସମେତ ଭବିଷ୍ୟତର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସହଜ ହୋଇପାରିବ । ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଭବିଷ୍ୟତର ଆବଶ୍ୟକତା, ବିଶେଷକରି ଝିଅମାନଙ୍କ ଶିକ୍ଷା ଓ ସୁରକ୍ଷିତ ଭବିଷ୍ୟତ ପାଇଁ ନିୟମିତ ସଞ୍ଚୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିସହ ସେ ସୁକନ୍ୟା ସମୃଦ୍ଧି ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ । ଏଲ୍ଡିଏମ୍ କାର୍ତ୍ତିକେଶ୍ୱର ପଣ୍ଡା ଲୋକମାନଙ୍କୁ ଘରେ ଅର୍ଥ ରଖିବା ପରିବର୍ତ୍ତେ ବ୍ୟାଙ୍କ ଓ ଡାକଘରର ବିଭିନ୍ନ ସଞ୍ଚୟ ଯୋଜନାରେ ଜମା କରିବାକୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ସଞ୍ଚିତ ଅର୍ଥ ଉପରେ ସୁଧ ମିଳିବା ସହ ଅର୍ଥ ବୃଦ୍ଧିର ସୁଯୋଗ ମିଳିଥାଏ ବୋଲି ସେ କହିଥିଲେ ।
ଡାକଘରର ପୋଷ୍ଟମାଷ୍ଟର ପ୍ରହଲ୍ଲାଦ ପାଢ଼ୀ ଡାକଘର ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସଞ୍ଚୟ ଯୋଜନା ଏବଂ ସେଗୁଡ଼ିକର ସୁବିଧା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ । ଅନ୍ୟପକ୍ଷରେ, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନ ସଞ୍ଚୟର ଆବଶ୍ୟକତା ସହିତ ସାଇବର ଠକେଇ ପ୍ରତି ସଚେତନ ରହିବା ଏବଂ ନିଜ କଷ୍ଟୋପାର୍ଜିତ ଅର୍ଥକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସଞ୍ଚୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ମାଟି ନିର୍ମିତ କୁମ୍ପି ପ୍ରଦାନ କରାଯାଇଥିଲା ।
ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଜମାଖାତାରେ ଯଥାକ୍ରମେ ୧,୫୦୦ ଟଙ୍କା, ୧,୦୦୦ ଟଙ୍କା ଓ ୫୦୦ ଟଙ୍କା ପୁରସ୍କାର ରାଶି ଜମା କରାଯାଇଥିଲା । ପ୍ରଥମ ସ୍ଥାନ ହାସଲ କରିଥିବା ପମି ନାଗ, ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପାୟଲ ପଣ୍ଡା ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ସତ୍ୟମ ଶିବମ ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଶାଖାର କିରାଣୀ ସଞ୍ଜୟ କୁମାର ବାରିକଙ୍କ ସମେତ ଫିରୋଜ ମିଶ୍ର, ପ୍ରେମାନନ୍ଦ ମିଶ୍ର ଓ ସୁଶାନ୍ତ ମିଶ୍ର ଉପସ୍ଥିତ ଥିଲେ ।

